ସ୍କାଉଟସ୍ ଗାଇଡସ୍ ତରଫରୁ ଅଶୋକାଷ୍ଟମୀ ସେବା ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପବିତ୍ର ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ସେବା କାର୍ଯ୍ୟ ଯୋଗାଇଦେଇଥିଲେ । ଓଡିଶାର ବିଭିନ୍ନ ମହାବିଦ୍ୟାଳୟରୁ ୧୦୦ ରୁ ଊର୍ଦ୍ଧ୍ୱ ରୋଭର ଓ ରେଞ୍ଜରଙ୍କୁ ନେଇ ଏହି ସେବା ଶିବିର ଆୟୋଜନ କରାଯାଇଅଛି । ଖରା ଓ ଗରମ ଦାଉରୁ ଭକ୍ତମାନଙ୍କୁ ରକ୍ଷା ପାଇବା ପାଇଁ ରୋଭର ଓ ରେଞ୍ଜରମାନେ ଭକ୍ତମାନଙ୍କୁ ଦହି ପାଣି, ଥଣ୍ଡା ପାନୀୟଜଳ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଖରା ତାତିରୁ ରକ୍ଷା ପାଇବା ପାଇଁ ଭକ୍ତମାନଙ୍କ ଉପରେ ସ୍ପ୍ରେୟର ସାହାଯ୍ୟରେ ପାଣି ସିଞ୍ଚନ କରିଥିଲେ, ଚାଲିବା ସ୍ଥାନରେ ପାଣି ଢ଼ାଳି ରାସ୍ତାକୁ ଥଣ୍ଡା ରଖୁଥିଲେ, ଲୋକମାନେ ସୁବିଧାରେ କିପରି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥକୁ ସୁରୁଖୁରୁରେ ଟାଣି ପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଉଥିଲେ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରୁଥିଲେ, ମନ୍ଦିର ପରିସରରେ ଥିବା ଦୀପସ୍ଥାନ ଏବଂ ରାସ୍ତାରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରୁଥିଲେ, ଅସୁସ୍ଥ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ । ଏତଦ୍ ବ୍ୟତୀତ ଜନଗହଳିକୁ ଏଡାଇବା ପାଇଁ ପୋଲିସ ଏବଂ ଟ୍ରାଫିକ୍ ମାନଙ୍କୁ ସାହାଯ୍ୟ କରୁଥିଲେ । ଏହି ସେବା ଶିବିରରେ ସେବା ଯୋଗାଇଦେଇଥିବା ସମସ୍ତ ରୋଭର, ରେଞ୍ଜରମାନଙ୍କୁ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଶୁଭେଚ୍ଛା ଜଣାଇଥିଲେ ।


