ସ୍କୁଲରେ କିଚେନ ଗାର୍ଡନ ନାମରେ ଅନୁଦାନ ହେଉଛି ହରିଲୁଟ

ହାଟଡିହି, (ବିକାଶ ବିଶ୍ୱାଳ ) : ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଛନ୍ତି । କିନ୍ତୁ ସରକାରୀ ସ୍ତରରେ ତାହାର ଉପଯୁକ୍ତ ତଦାରଖ ଅଭାବରୁ ଯୋଜନା ଗୁଡିକ ସଠିକ ଭାବେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ବିଦ୍ୟାଳୟ ମାନଙ୍କୁ ପ୍ରତିବର୍ଷ ହଜାର ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଉଥିବାବେଳେ ବାସ୍ତବରେ ତାହା ଖଚ୍‌ର୍ଚ ହେଉଛି ନା ପକେଟସ୍ଥ ହେୁଛି ତାହା ଦେଖିବାକୁ କେହିନାହିଁ । ଯାହାକି କିଚେନ ଗାର୍ଡନ ଘଟଣାରୁ ଜଣାପଡୁଛି । ସରକାର ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ ଲାଗି ପ୍ରତି ବିଦ୍ୟାଳୟରେ କିଚେନ ଗାର୍ଡନ କରିବା ପାଇଁ ୫ହଜାର କରି ଅନୁଦାନ ଯୋଗାଇ ଦେଲେ । ଏହି ଅନୁଦାନ ଟଙ୍କାରେ ସ୍କୁଲ ପରିସରରେ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ହେଉଥିବା ପନିପରିବା ଯଥା ଭଣ୍ଡା, କଦଳୀ, ସଜନା, ଲେମ୍ବୁ, ବୋଇତାଳୁ ଭଳି ପନିପରିବା ଗଛ ଲଗାଇ ସେଥିରୁ ଉତ୍ପାଦିତ ପନିପରିବା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସହାୟକ ହୋଇପାରିବ । କିନ୍ତୁ ପ୍ରାୟତଃ ଅଧିକାଶଂ ସ୍କୁଲରେ ଏହି ଯୋଜନାର ଅନୁଦାନର ସଠିକ ବିନିଯୋଗ କରାଯାଇ ପାରିଲା ନାହିଁ । କେଉଁଠି ପ୍ଲାଷ୍ଟିକ ଜାଲ ଖଣ୍ଡିଏ ଘେରା ଯାଇଛି ତ ଆଉ କେଉଁଠି ଗୋଟିଏ ଦୁଇଟି ଫୁଟିକିଆ କଦଳୀ ଗଛ ଶୋଭା ପାଉଛି । ଉଦାହରଣ ସ୍ୱରୁପ ଦନେଇପୁର ପ୍ରାଥମିକ ବିଦ୍ୟାଳୟକୁ ୫ହଜାର ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ସେଠାରେ କୌଣସି ଗାର୍ଡନ ନକରାଯାଇ କିଚେନ ଗାର୍ଡନ ପାଇଁ ୫ହଜାର ଖର୍ଚ୍ଚ କରାଯାଇଥିବା ଦର୍ଶାଇ ୟୁସି ଦିଆଯାଇଛି । କେବଳ ପ୍ଲାଷ୍ଟିକ ଜାଲ ଭିତରେ କେବଳ ଗୋଟିଏ ଛୋଟ କଦଳୀଗଛ ଲଗାଯାଇଛି । ଯାହାକି ୫ଶହ ଟଙ୍କା ଭିତରେ ଖର୍ଚ୍ଚ ହୋଇଥିବା ଗ୍ରାମର ୱାର୍ଡସଭ୍ୟ ପ୍ରଭାତ ପୃଷ୍ଟି, ସୁରଥ ପାଣିଗ୍ରାହୀ, ଅଞ୍ଜନା ନାହାକ, ବସନ୍ତ ନାହାକ, ସୁଲୋଚନା ପ୍ରଧାନ, ଶାରୀ ପଲେଇ, ଗୟାଧର ଭୂୟାଁ, କନକ ପାତ୍ର, ରବିନ୍ଦ୍ର ଦେହୁରୀ, ରମେଶ ପଲେଇ, ଭାରତୀ ପଲେଇ ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିପରି ବଳଭଦ୍ରପୁର ସ୍କୁଲରେ ମଧ୍ୟ ସମାନ ଅବସ୍ଥା । ଚାରିଖଣ୍ଡ ବାଉଁଶ ଘେରାଯାଇ ଗୋଟିଏ କଦଳୀ ଗଛ ଲଗାଯାଇଛି । ଯାହାକି ଦୁଇଶହ ଟଙ୍କା ଭିତରେ ଖର୍ଚ୍ଚ କରାଯାଇଥିବା ଅଭିଭାବକମାନେ କହିଛନ୍ତି । ଟୁକୁଣା ସ୍କୁଲରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଖାଲି ଏହି ଦୁଇ ତିନୋଟି ସ୍କୁଲ ନୁହଁ ବ୍ଲକର ଅଧିକାଶଂ ସ୍କୁଲରେ ଏହିପରି ପ୍ଲାଷ୍ଟିକ ଜାଲ ଘେରାଉକରି ଅନୁଦାନ ଟଙ୍କାକୁ ବାଟମାରଣା କରାଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏତେସବୁ ପରେବି କୌଣସି ଅଧିକାରୀ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଏଲାଗି କୈଫିୟତ ତଲବ କରିନାହାନ୍ତି କି କେହି ଏଥିପ୍ରତି ଗୁରୁତ୍ୱ ମଧ୍ୟ ଦେଉ ନାହାନ୍ତି । ପ୍ରଧାନଶିକ୍ଷକମାନେ ୟୁସି ଦେଇ;ଦେଇ କାମ ମଧ୍ୟ ସାରିଦେଇଛନ୍ତି । ବିଭାଗୀୟ ଶିକ୍ଷା ଅଧିକାରୀଙ୍କୁ ଏ ବାବଦରେ ପଚାରିବାରେ ସେ କହିଛନ୍ତି ଯେ ଏପରି କିଛି ସ୍କୁଲ ଆମର ଦୃଷ୍ଟିଗୋଚର ହୋଇଛି । ଆମେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଏବିଇଓ ଧନେଶ୍ୱର ଖଣ୍ଡେଇ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ