ସ୍ତ୍ରୀ ଆଗରେ ସ୍ୱାମୀ ଙ୍କୁ ନୃଶଂସ ଭାବେ ଧାନ କ୍ଷେତରେ ହତ୍ୟା ଘଟଣା;  ଘଟଣା ସ୍ଥଳରେ ଫରେନସିକ ଟିମ ସହିତ ସନ୍ଧାନୀ କୁକୁର ଓ  ଏସ.ଡି.ପି.ଓ ଙ୍କ ତଦନ୍ତ ଆରମ୍ଭ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ଗ୍ରାମର ଉପର ସାହିର ପନ୍ଦର ମଲ୍ଲିକ(୬୨)ଙ୍କୁ ସ୍ତ୍ରୀ ଆଖି ଆଗରେ ବୁଧବାର ଦିନ ସକାଳ ପ୍ରାୟ ୭ ଘଣ୍ଟା ସମୟରେ ଗ୍ରାମ ନିକଟ କ୍ରେସକୁଡ଼ପାଙ୍ଗା ଜଙ୍ଗଲ ନିକଟରେ ମୁଖାଧାରୀ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଗୁରବାର ଦିନ ବାଲିଗୁଡ଼ା ଏସ.ଡି.ପି.ଓ ମାନସ ରଞ୍ଜନ ବାରିକ, ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଓ ସନ୍ଧାନୀ କୁକୁର,ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରି ତଦନ୍ତ ଆରମ୍ଭ କରିଛନ୍ତି । ବ୍ରାହ୍ମଣୀଗାଁ ପୋଲିସ ଏହି ଘଟଣାରେ କେସ ନମ୍ବର ୭୮/୨୦୨୦ ରେ ମକଦମା ରୁଜୁକରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି । ମୃତ ଦେହକୁ ଜବତ କରି ବ୍ରାହ୍ମଣୀଗାଁ ନିଆଯାଇ ସେଠାରେ ଶବ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଗ୍ରାମରୁ ଘଟଣା ସ୍ଥଳ ବହୁ ଦୂର ହେବା ସହ ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ସନ୍ଧାନୀ କୁକୁର ଦ୍ୱାରା ସୁରାକ ପାଇବା ସମସ୍ୟା ହୋଇଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ବୁଧବାର ଦିନ ଭୋର ସକାଳେ ପନ୍ଦର ମଳିକ ଓ ସ୍ତ୍ରୀ ଡାକିନିଆଲୁ ମଳିକ ଓ ସାନ ପୁଅ ଗାଁ ଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଥିବା ଧାନ କ୍ଷେତକୁ ଯାଉଥିଲେ । ପନ୍ଦର ଆଗେ ଚାଲୁଥିବା ବେଳେ ସ୍ତ୍ରୀ ଡାକିନିଆଲୁ ଓ ସାନ ପୁଅ ଟିକିଏ ଦୂରରେ ଚାଲୁଥିଲା । ଜଙ୍ଗଲ ମଧ୍ୟରେ ମୁଖାଧାରୀ ରାସ୍ତା କଡ଼ରୁ ହଠାତ ବାହାରି ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରି ହତ୍ୟା କରି ଚାଲିଯାଇଥିଲେ । ସ୍ତ୍ରୀ ଓ ପୁଅ ଏହିଭଳି ଆକ୍ରମଣ କରିବା ଦେଖି ଭୟରେ ଗାଁ କୁ ଚାଲିଯାଇ ପୁଣି ଗାଁ ଲୋକଙ୍କ ସହ ଘଟଣା ସ୍ଥଳକୁ ଆସିଥିଲେ । ହେଲେ ଘଟଣା ସ୍ଥଳରୁ ଦୁର୍ବୁତ୍ତ ମାନେ ପଳାଇଥିବା ବେଳେ ପନ୍ଦର ଙ୍କ ଜୀବନ ଚାଲିଯାଇଥିଲା । ପନ୍ଦର ଙ୍କର ବେକ ଓ ହାତରେ ହଣା ହୋଇଥିବା ଦେଖିବାକୁ ମିଳିଛି । ଘଟଣା ପରେ ପରିବାର ଲୋକ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ । ଘଟଣା ସ୍ଥଳଟି ଉପାନ୍ତ ଅଂଚଳ ହୋଇଥିବା ଯୋଗୁଁ ପୋଲିସ ପହଞ୍ଚିବାରେ ବିଳମ୍ବ ହୋଇଥିଲେ ହେଁ ଘଟଣା ସ୍ଥଳରେ ଗ୍ରାମବାସୀ ଓ ପୋଲିସ ଶବ କୁ ରାତିସାରା ଜଗି ରହିଥିଲେ । ଦୁର୍ବୃତ୍ତ ମାନେ ପନ୍ଦର ଙ୍କୁ କାହିଁକି ଏଭଳି ନିର୍ମମ ଭାବେ ହାଣି ହତ୍ୟା କଲେ ତାହାର କାରଣ ଜଣା ପଡିପାରିନଥିବା ବେଳେ ପରିବାର ଲୋକଙ୍କ କହିବା ଅନୁଯାଇ ଆଜକୁ ୧୦ ବର୍ଷ ତଳେ ଗ୍ରାମର କିଛି ଲୋକ ପନ୍ଦରଙ୍କୁ ଗୁଣିଗାରେଡି କରୁଥିବା ସନ୍ଦେହ କରି ପରବର୍ତ୍ତୀ ସମୟରେ ମାଓବାଦୀଙ୍କ ସହଯୋଗରେ ପନ୍ଦରଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଆଉ ଏବେ ଏଭଳି ହାଣି  ହତ୍ୟା କରାଯାଇଥିବାରୁ ପରିବାର ଲୋକ ଗ୍ରାମର କିଛି ଲୋକ ହିଁ ପନ୍ଦରଙ୍କୁ ହାଣି  ହତ୍ୟା କରିଛନ୍ତି ବୋଲି ସନ୍ଦେହ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ