ସ୍ୱଳ୍ପ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା): ସ୍ଥାନୀୟ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ଓ ସାଇଟ୍ ସେଭର(ଭୂବନେଶ୍ୱର) ମିଳିତ ଆନୁକୂଲ୍ୟରେ ସ୍ୱଳ୍ପ ଦୃଷ୍ଟି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ ଏବଂ ଉପକରଣ ପରିଚାଳନା ନିମନ୍ତେ ତାଲିମ ଶିବର ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ଯୋଗଦେଇ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଣ୍ଟନ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିବା କିଟ୍ରେ ଚଷମା ସହ ବିଭିନ୍ନ ଅତ୍ୟାଧୁନିକ ଧରଣର ଉପକରଣ ରହିଥିଲା । ଗଞ୍ଜାମ ଜିଲ୍ଲାର ୩୧୦ ଜଣ ଛାତ୍ରଛାତ୍ରୀମାନଙ୍କୁ ଏହି କିଟ୍ ବଣ୍ଟନ କରିବା ପାଇଁ ରହିଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ବେଗୁନିଆପଡା, ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକର ୭୦ ଜଣ ଛାତ୍ରଛାତ୍ରୀଙ୍କୁ ଏହି ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଇଟ୍ ସେଭରର ରାଜ୍ୟ ପ୍ରକଳ୍ପ ମୁଖ୍ୟ ଆକବର ମେହଫୁଜ୍ ଆଲାମ, ପ୍ରକଳ୍ପ ଅଧିକାରୀ ସୁମିତ୍ ସୁମନ୍ କର, ରାଜ୍ୟ ଅନ୍ତର୍ନିବେଶୀ ଶିକ୍ଷାର ପରାମର୍ଶଦାତା ରଞ୍ଜିତା ପଟ୍ଟନାୟକ, ସହରାଞ୍ଚଳ ଚକ୍ଷୁ ସ୍ୱାସ୍ଥ୍ୟ ମୁଖ୍ୟ ନିରଞ୍ଜନ ରାଜ, ସାଇଟ୍ ସେଭରର ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାରଦା ପ୍ରସନ୍ନ ଷଡଙ୍ଗୀ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରୀନିବାସ, ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନର ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା, ଅନ୍ତର୍ନିବେଶୀ ଶିକ୍ଷା ଜିଲ୍ଲା ସଂଯୋଜକ ତପନ କୁମାର ସାହୁ, ଏସ୍ସି/ଏସ୍ଟି ସଂଯୋଜକ ଡ.ସରୋଜ ମୋହନ ପାଳ, ଶୈକ୍ଷିକ ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡା, ବାଳିକା ଶିକ୍ଷା ସଂଯୋଜକ ଜ୍ୟୋତି ପ୍ରକାଶ ରଥ, ପ୍ରୋଗ୍ରାମ ସଂଯୋଜକ ସାବିତ୍ରୀ ବାଳା ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉପକରଣ ବଣ୍ଟନ କରିଥିଲେ । ସେହିପରି ବ୍ଲକ ଶିକ୍ଷା ସଂଯୋଜକ ପ୍ରଣବ କୁମାର ଶତପଥୀ, ବିଜୟ କୁମାର ବେହେରା, ଏମ୍.ଡମ୍ବୁରୁ ଦୋରା, ଅଜୟ କୁମାର ସାହୁ, ଅଶ୍ୱିନୀ କୁମାର ପାଇକରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


