ସ୍ୱାସ୍ଥ୍ୟକେନ୍ଦ୍ରରେ ଦଲାଲ ସାବାଡ଼ ଅଭିଯାନ : ୮ ଜିଲ୍ଲାରୁ ୩୦ ଗିରଫ

କଟକ : ରାଜ୍ୟର ଅଧିକାଂଶ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଦଲାଲଙ୍କ କବ୍ଜାରେ । ଦଲାଲଙ୍କ ମାଧ୍ୟମରେ ଗରିବ ରୋଗୀଙ୍କୁ ଶୋଷଣ ଘଟଣାକୁ ଏବେ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଉଭୟ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଏବଓ ଦଲାଲଙ୍କ ଉପରେ ନଜର ରଖିବାକୁ ପୁଲିସ ଡିଜି ବିଜୟ କୁମାର ଶର୍ମା ଜିଲ୍ଲା ଏସ୍ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଏକ ମାସ ମଧ୍ୟରେ ୮ଟି ଜିଲ୍ଲାରେ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନଜର ରଖାଯାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କଟକ ବଡ଼ ମେଡିକାଲ୍ ଏବେ ଦଲାଲଙ୍କ ଆଡ୍ଡାସ୍ଥଳୀ ପାଟଲିଛି । କେବଳ ବଡ଼ ମେଡିକାଲ ନୁହେଁ, ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ୍, ମେଡିକାଲ୍ କଲେଜ, ବ୍ଲଡ୍ ବ୍ୟାଙ୍କ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦଲାଲ ବା ମଧ୍ୟସ୍ଥି ଅଧିକ ମାତ୍ରାରେ ସକ୍ରିୟ ଅଛନ୍ତି । ସେମାନଙ୍କୁ ସାବାଡ଼ କରିବା ପାଇଁ ଡିଜିପି ରାଜ୍ୟର ସମସ୍ତ ଜିଲ୍ଲା ଏସ୍ପି/ଡିସିପିଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଭଳି ବେଆଇନ କାମରେ ସମ୍ପୃକ୍ତ ରହୁଥିବା ଦୁର୍ବୃତ୍ତଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରି ସେମାନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପୁଲିସ ବିଭାଗର ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ ୪ଜଣ, ସମ୍ବଲପୁରରେ ୫ ଜଣ, ବଲାଙ୍ଗିରରେ ୫ ଜଣ, ଭଦ୍ରକରେ ୪ ଜଣ, ମୟୂରଭଞ୍ଜରେ ୩ ଜଣ, ରାଉରକେଲାରୁ ୪ ଜଣ, ବାଲେଶ୍ୱରରୁ ୩ ଜଣ ଏବଂ ନବରଙ୍ଗପୁରରୁ ୨ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଦଲାଲଙ୍କ ସହିତ ନର୍ସିଂହୋମ୍ ମାଲିକ, ଡାଇଗ୍ନୋଷ୍ଟିକ୍ ସେଣ୍ଟର ମାଲିକ, ଡାକ୍ତରଙ୍କ ଭୂମିକା ବି ସନ୍ଦେହରେ ରହୁଥିବା କୁହାଯାଉଛି । ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରମାଣ ଯୋଗାଡ଼ କରିବାକୁ କୁହାଯାଇଛି । ଡିସିପି/ଏସ୍ପିଙ୍କ ତତ୍ତ୍ୱାବଧାନରେ ଦଲାଲଙ୍କୁ ଗିରଫ କରିବା ପାଇଁ ପୁଲିସ ଅଫିସର ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଡିସିପି/ଏସ୍ପିମାନେ ନିୟମିତ ଭାବେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଡିଜିପିଙ୍କ ନିକଟରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ