ହିଞ୍ଜିଳିକାଟୁ ପୌରାଂଚଳରେ ଜବରଦଖଲ ଉଛେଦ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳରେ ଦିନକୁ ଦିନ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଜାତୀୟ ରାଜପଥ ପ୍ୱାଶ୍ୱର୍ସ୍ଥ ଡ଼୍ରେନ ଉପରେ ସ୍ଥାନୀୟ ଅଂଚଳର କିଛି ବ୍ୟବସାୟୀ ଜୋର ଜବରଦସ୍ତ ଭାବେ ଅକ୍ତିଆର କରି ରଖିଥିଲେ । ଫଳରେ ନିକଟସ୍ଥ ଅଂଚଳର ବ୍ୟବସାୟୀ ମାନେ ବାଣିଜ ବେପାର କରିବା ପାଇଁ ସ୍ଥାନୀୟ ସହରକୁ ଆସିବା ବେଳେ ନିଜ ନିଜ ଗାଡ଼ ମୋଟରକୁ ଜାତୀୟ ରାଜପଥ ଉପରେ ପାର୍କିଂ କରିବା ଦ୍ୱାରା ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲା । ଯାହାକି ଉଭୟ ପୁଲିସ ଓ ପୌର ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହୋଇ ଆସୁଥିଲା । ପରିଶେଷରେ ହିଞ୍ଜିଳିକାଟୁ ପୌର ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗର ମିଳିତ ସହଯୋଗରେ ରବିବାର ହିଂଜିଳିକାଟୁ ପୌରାଂଚଳରେ ଜବରଦଖଲ ଉଛେଦ ପ୍ରକିୟା ଆରମ୍ଭ କରାଯାଇଛି । ହିଂଜିଳିକାଟୁ ପୌରାଂଚଳ ପରିସରସ୍ଥ ୫୯ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ର ଡ଼୍ରେନ ଉପରେ ପ୍ଳେଟ ପକାଇ ଘରର ପାହଚ ନିର୍ମାଣ ସହ କିଛି ବ୍ୟବସାୟୀ ଦେକୋନ ଗୃହ କରି ଆସିଥିଲେ । ଜାତୀୟ ରାଜପଥ ପ୍ୱାଶ୍ୱର୍ ଡ଼୍ରେନ ଉପରେ ଜବରଦଖଲ କରି ରହିଥିବା ବ୍ୟବସାୟୀ ମାନଙ୍କୁ ଉଛେଦ ସକାଶେ ପୂର୍ବରୁ ପୌର ପ୍ରଶାସନ ପକ୍ଷରୁ ନୋଟିସ ଜାରୀ କରାଯାଇଥିଲା । ପୂର୍ବ ସୂଚନା ମୁତାବକ ରବିବାର ପୂର୍ବାହ୍ନରେ ପୌର ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗର ମିଳିତ ସହଯୋଗରେ ପୌରାଂଚଳରେ ଜବରଦଖଲ ଉଛେଦ ପ୍ରକିୟା ଆରମ୍ଭ କରାଯାଇଛି । ଉଛେଦ ସମୟରେ ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, କନିଷ୍ଟ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଜାତୀୟ ରାଜପଥ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କୌଳାସ ଭୂୟାଁ , ପୋଲିସ ପ୍ରଶାସନ ସମେତ ପୌର ପରିଷଦର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।


