ହୋଲିରେ ରାସାୟନିକ ରଙ୍ଗର ବିକ୍ରି ନିଷିଦ୍ଧ ହେଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ଏବେଠାରୁ ଗାଆଁଠୁ ସହର ଉତ୍ସବ ମୁଖର । ଖୋଲିଲାଣି ଭଳିକି ଭଳି ରଙ୍ଗର ପସରା । ହୋଲି ପାଇଁ ବଜାରରେ ଉପଲବ୍ଧ ହେଉଥିବା ରାସାୟନିକ ରଙ୍ଗରେ ଦୋକାନ ଭର୍ତ୍ତି । କାଁ ଭାଁ ଦୋକାନରେ ପ୍ରାକୃତିକ ରଙ୍ଗ ବିକ୍ରି ହେଉଛି । ଆମେମାନେ ସମସ୍ତେ ଜାଣୁ ଏ ରାସାୟନିକ ରଙ୍ଗ ଶରୀର ପାଇଁ ହାନୀକାରକ । ମାରାତ୍ମକ କ୍ୟାନସର ପରି ରୋଗ ଶରୀରରେ ସୃଷ୍ଟି କରିଥାଏ । ଯାହା ମାନବ ଓ ଜୀବଜନ୍ତୁଙ୍କ ପ।।ଇଁ ସମ୍ପୂର୍ଣ୍ଣ ରୂପେ ବିପଦ । ତଥାପି ଏ ରଙ୍ଗକୁ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରୁଛି କିଏ? କାହିଁକି ଏଥିପ୍ରତି ରୋକ୍ ଲାଗୁନାହିଁ । ଯାହା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତୀତରେ ହୋଲିରେ ଅବିର, ଫଗୁ ବ୍ୟବହୃତ ହେଉଥିଲା । ଯାହା ମଣିଷ ଶରୀର ପାଇଁ ଏକ ଔଷଧ ଥିଲା । ଏହା ପ୍ରତିଷେଧକ ଓ ପ୍ରତିରୋଧକ ରୂପେ ନିୟନ୍ତ୍ରଣ କରୁଥିଲା । ଆଜି ବଜାରରେ ଉପଲବ୍ଧ ରାସାୟନିକ ରଙ୍ଗ ଘାତକ ସାଜିଛି । ଯେମିତିକି କପର ସଲ୍ଫେଟ୍ରୁ ପ୍ରସ୍ତୁତ ହୋଇଥାଏ ସବୁଜ ରଙ୍ଗ, ଏହା ଶରୀର ସଂସ୍ପର୍ଶରେ ଆସିଲେ ଦୃଷ୍ଟିଶକ୍ତି କ୍ଷୀଣ କରିଦେଇଥାଏ । ଆଲୁମିନିୟମ୍ ବ୍ରୋମାଇଡ୍ରୁ ସିଲଭର ରଙ୍ଗ, ଯାହା ଶରୀରରେ କ୍ୟାନସର ପରି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ମରକ୍ୟୁରି ସଲ୍ଫାଇଟ୍ରୁ ଲାଲ ରଙ୍ଗ, ଯାହା ଚର୍ମ କର୍କଟ ରୋଗ ସୃଷ୍ଟିରେ ସହାୟକ ହୋଇଥାଏ । ଲିଡ୍ ଅକ୍ସାଇଡ୍ରୁ କଳା ରଙ୍ଗ, ଯାହା କିଡ୍ନୀର କାର୍ଯ୍ୟକୁ ବନ୍ଦ କରିଦେବା ସହ ବ୍ୟକ୍ତିକୁ ମାନସିକସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ଆହୁରି ମଧ୍ୟ ଏହା ଜଳ ସମ୍ପଦକୁ ପ୍ରଦୂଷିତ କରିବା ସହ ଜଳଜୀବଙ୍କ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଥାଏ । ଏନେଇ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ରାସାୟନିକ ରଙ୍ଗର ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ଲାଗି ବିଭାଗୀୟ ଅଧିକାରୀଙ୍କ ନିକଟରେ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି ।


