ୟୁରିଆ ସାରର କଳାବଜାର ପ୍ରଶାସନ ନିରବ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଚାଷୀଙ୍କ ପାଇଁ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହି ବିଭିନ୍ନ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଚାଲିଥିବା ବେଳେ ସମ୍ପ୍ରତି କରୋନା ଯୋଗୁଁ ଗଞ୍ଜାମର ୫୦ ହଜାର ପଞ୍ଜିକୃତ ଚାଷୀ ମଣ୍ଡି ଖୋଲିନଥିବାରୁ ଦଲାଲଙ୍କ ଜରିଆରେ ପ୍ରାୟ ୨୦ କୋଟି ଟଙ୍କାର ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ଅପରପକ୍ଷରେ କରୋନାରେ ଲକଡାଉନ ଓ ସଟଡାଉନ ଯୋଗୁଁ ଚାଷୀମାନେ ପନିପରିବା ବିକ୍ରି ହୋଇନପାରିବାରୁ ବହୁ ପରିମାଣର କ୍ଷତି ସହିଥିଲେ। ଚଳିତ ଖରିଫ ଫସଲ ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୯୦ ହଜାର ଟନ୍ ପିଡ଼ିଆ ସାର ବ୍ୟବହୃତ ହୁଏ । ଚଳିତ ବର୍ଷ ତାର ଅଧା ସାର ମଧ୍ୟ ଆସିନାହିଁ । ସେଥିରୁ ମାତ୍ର ୨୫ ଭାଗ ସାର ସୋସାଇଟି ଜରିଆରେ ବିକ୍ରି ହେଉଥିବା ବେଳେ ଆଉ ୭୫ ଭାଗ ସାର ଘରୋଇ ଡିଲର ବେପାରୀଙ୍କ ଦ୍ଵାରା ଚାଷୀଙ୍କୁ ଯୋଗାଇ ଦିଆଯାଇଥାଏ। ସାରର ଉତ୍କଟ ଅଭାବ ଯୋଗୁଁ ଘରୋଇ ଡିଲର ବ୍ୟବସାୟୀମାନେ ଏହାର ସୁଯୋଗ ନେଇ ୨୭୦ ଟଙ୍କା ସରକାରୀ ନିର୍ଦ୍ଧାରିତ ଦର ଥିବା ବେଳେ ୩୫୦ରୁ ୪୭୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି । ଚାଷୀମାନେ ନିରୁପାୟ ହୋଇ ଏହା କିଣିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ ନେତା ଭାସ୍କର ସାହୁ, ଜଗନ୍ନାଥ ସାହୁ, ନବକିଶୋର ସ୍ବାଇଁ ଓ ଭାସ୍କର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । କରୋନାର ଆଳ ଦେଖାଇ ପ୍ରଶାସନିକ ଅଧିକାରୀମାନେ ଅଫିସକୁ ଆସୁନାହାନ୍ତି । ଫଳରେ ଚାଷୀମାନେ ଏ ସମ୍ପର୍କରେ କାହାରିକୁ ମଧ୍ୟ ଅଭିଯୋଗ କରିବାକୁ ସୁଯୋଗ ପାଉନାହାନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଚାଷୀମାନଙ୍କୁ ସରକାରୀ ଦରରେ ସାର ଯୋଗାଇ ଦେବା ପାଇଁ ଋଷିକୁଲ୍ୟା ରୟତ ମହାସଭାର ଉପଦେଷ୍ଟା ରବି ରଥ, ଋଷିକୁଲ୍ୟା ରୟତ ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ, ସମ୍ପାଦକ ସୀମାଞ୍ଚଳ
ନାହାକ ଦାବୀ କରିଛନ୍ତି।


