ୟେସ୍ ବ୍ୟାଙ୍କରୁ ୧୩୦୦ କୋଟି ଟଙ୍କା କାଢ଼ି ନେଇଛ ତିରୁମାଳା ତିରୁପତି ଦେବସ୍ଥାନମ
ନୂଆଦିଲ୍ଲୀ: ବୁଡ଼ିବାକୁ ଯାଉଛି ୟେସ୍ ବ୍ୟାଙ୍କ । ନଗଦ ସଂକଟ ଏବଂ ଋଣ ବୋଝ ମଧ୍ୟରେ ଛନ୍ଦି ହୋଇ ଏହା ଏବେ ସଂଘର୍ଷ କରୁଛି । ତେବେ ୟେସ ବ୍ୟାଙ୍କ ସଙ୍କଟକୁ ନେଇ ହୁଏତ ଆଗୁଆ ଅନୁମାନ କରିଦେଇଥିଲା ଆନ୍ଧ୍ରପ୍ରଦେଶର ତିରୁମାଳା ତିରୁପତି ଦେବସ୍ଥାନମ । ସଙ୍କଟକୁ ପୂର୍ବାନୁମାନ କରି ଏହା କିଛି ଦିନ ତଳେ ୟେସ୍ ବ୍ୟାଙ୍କରୁ ୧୩୦୦ କୋଟି ଟଙ୍କା କାଢ଼ି ନେଇଛି । ଗତ ବର୍ଷ ଅକ୍ଟୋବରରେ ଟିଟିଡି ଟ୍ରଷ୍ଟ ବୋର୍ଡ ଏକ ବୈଠକ କରିଥିଲା । ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇ ଅନ୍ୟତ୍ର ନିବେଶ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଥିଲା । ହୁଏତ ଟିଟିଡି ୟେସ ବ୍ୟାଙ୍କ ସଙ୍କଟକୁ ଆଗୁଆ ଦେଖିପାରିଥିଲା । ପୂର୍ବ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାରରେ ତିରୁମାଳା ତିରୁପତି ଦେବ ସ୍ଥାନମ ୟେସ ବ୍ୟାଙ୍କ ସମେତ ଆଉ ୪ଟି ବ୍ୟାଙ୍କରେ ପାଣ୍ଠି ଜମା କରିଥିଲା । କେତେକ ବ୍ୟାଙ୍କ ଗୁଡ଼ିକର ପ୍ରଦର୍ଶନକୁ ଦେଖି ଟିଟିଡି ଅଧ୍ୟକ୍ଷ ୱାଇଭି ସୁଦ୍ଧା ରେଡ୍ଡି ୟେସ ବ୍ୟାଙ୍କ ସଙ୍କଟକୁ ପୂର୍ବାନୁମାନ କରି ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ୟେସ୍ ବ୍ୟାଙ୍କ ଉକ୍ରଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଖିବା ପରେ ସୁଦ୍ଧା ରେଡ୍ଡି ଜମାକୁ ତୁରନ୍ତ ପଠାଇଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏ ନେଇ ସେ ମୁଖ୍ୟମନ୍ତ୍ରୀ ୱାଏସ ଜଗନ ମୋହନ ରେଡ୍ଡିଙ୍କୁ ମଧ୍ୟ ସୂଚାଇଥିଲେ ।


