୧୨ ବର୍ଷ ପରେ….ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗ୍ରାମର ମା ଶୀତଳା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ରବିବାର ପବିତ୍ର ଅକ୍ଷୟ ତୃତୀୟା ଦିନ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଯାତ୍ରା ପ୍ରତ୍ୟକ ୧୨ ବର୍ଷକୁ ଥରେ ହେଉଥିବା ବେଳେ ଚଳିତ ବର୍ଷ ଯାତ୍ରା ଧୁମ୍ ଧାମ ଏବଂ ଯାକଜକମ ରେ ପାଳନ କରିବା ନିମନ୍ତେ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏନେଇ ଗ୍ରାମରେ ଉତ୍ସବ ମୁଖ ସୃଷ୍ଟି ହେଇଛି । ଆଜି ପୂର୍ବାହ୍ନ ରେ ମା ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟରୁ ଏକ ବାନା ଗଞ୍ଜାମ ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ହାତ ରେ ଧରି ଘଣ୍ଟ ବାଦ୍ୟ, ଶଙ୍ଖ ନାଦ ଏବଂ ହୁଳି ହୁଳି ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରି ବଡ଼ ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ନିକଟରେ ପୂଜକ ଦେବରାଜ ବେହେରା ଙ୍କ ତତ୍ୱାବଧାନ ରେ ବାନା ସହ ଶୂଭ ଖୁଣ୍ଟି ସ୍ଥାପନ କରାଯାଇଥିଲା । ଏହି ଅବସର ରେ ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ ,ଯାତ୍ରା କମିଟିର ସଭାପତି ବିଶ୍ୱନାଥ ସୁବୁଦ୍ଧି,ଉପସଭାପତି ପ୍ରବାସୀ ପ୍ରଧାନ ,ସମ୍ପାଦକ ସୁଦାମ ସାହୁ ,ଯୁଗ୍ମ ସମ୍ପାଦକ କେ ରମେୟା ,କୋଷାଧ୍ୟକ୍ଷ କେ ଭିମାରାଜୁ ଓ ବିରଞ୍ଚି ନାୟକ ,ଉପଦେଷ୍ଟା ପ୍ରମୋଦ କୁମାର ସାହୁ, ଭଗବାନ ନାହାକ,ଗଣପତି ବାରିକ ,ବିଜୟ ପ୍ରଧାନ ଓ ରାମଚନ୍ଦ୍ର ବେହେରା, ପୋଟଲାମପୁର ସରପଂଚ ନିରଞ୍ଜନ ପ୍ରଧାନ ,ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ ଙ୍କ ସମେତ ଯାତ୍ରା କମିଟିର ସମସ୍ତ ସଦସ୍ୟ ଓ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଗତ ୨0୧୧ ମସିହା ରେ ଏହି ଯାତ୍ରା ହୋଇଥିଲା, ଚଳିତ ବର୍ଷ ମେ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ୨୧ ଦିନ ଧରି ମାଙ୍କ ଯାତ୍ରା ହେବାକୁ ନିଷ୍ପତ୍ତି ହୋଇଛି। ଏହି ସମୟରେ ମା ଶୀତଳାଠାକୁରାଣୀ ଶାଶୁଘର ରୁ ବାପ ଘର କୁ ଆସିବେ, ମାଙ୍କ ଘଟ ସାତ ଟି ସାହି ପରିକ୍ରମା କରିବେ, ମେ ୨୯ ମଧ୍ୟ ରାତ୍ରରେ ମା’ଙ୍କ ଘଟ ସ୍ଥାୟୀ ମନ୍ଦିରକୁ ଫେରଯିିବେ। ତା ପରଦିନ ଶୋଭାଯାତ୍ରା ଓ ସାହି ଯାତ୍ରା ଅନୁଷ୍ଠିତ ହେବ। ୫ଟି ପଞ୍ଚାୟତର ୨୦ଟି ଗ୍ରାମ କମିଟିକୁ ନିମନ୍ତ୍ରଣ କରାଯିବ। ଯାତ୍ରା ଅବସରରେ ମିନବଜାର,ଲୋକ କଳା, ଲୋକ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବିଭିନ୍ନ କଳାକୁଞ୍ଜ ମାନ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି l


