୧୪ ଜିଲ୍ଲାରେ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇସାରିଛି । ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆଗାମୀ ୪୮ ଘଂଟା ଧରି ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ମଧ୍ୟ ସକ୍ରିୟ ଥିବାବେଳେ ଓଡ଼ିଶା ଆଡ଼କୁ ପାଖେଇ ଆସିଲାଣି । ତେବେ ଲଘୁଚାପର ପ୍ରଭାବରେ ବୁଧବାର ଓ ଗୁରୁବାର ଉତର, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗଞ୍ଜାମ, ପୁରୀ,କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣିଙ୍ଗ ଦିଆଯାଇଛି । ଲଘୁଚାପ କାରଣରୁ୧୪ ଜିଲ୍ଲାରେ ଝଡ଼ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବ । ଏହାଛଡ଼ା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଯାଜପୁର, ଭଦ୍ରକ ଓ ନୟାଗଡ଼କୁ ମଧ୍ୟ ଆଲର୍ଟ କରାଯାଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଝଡ଼ତୋଫାନ ଲାଗି ରହିବ । ଦୁଇଦିନ ମଧ୍ୟରେ ମୌସୁମୀ ମଧ୍ୟ ଆସିବ । ସମୁଦ୍ର ଅଶାନ୍ତ ରହିବାର ଥିବାରୁ ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି ।


