ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ
ଭୁବନେଶ୍ୱର,(ୱାଇଏନ୍ଏସ୍): ଶୁକ୍ରବାର ଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବ । ଏହା ପୂର୍ବରୁ ସମସ୍ତ ସମସ୍ତ ମନ୍ତ୍ରୀ , ବିଧାୟକ , ସେମାନଙ୍କ କର୍ମଚାରୀ ଓ ବିଧାନସଭା କର୍ମଚାରୀମାନଙ୍କରେ ପୁଣି ଥରେ କୋଭିଡ୍ ଟେଷ୍ଟ କରାଯାଇଛି । ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିବ କେବଳ ସେମାନଙ୍କୁ ବିଧାନସଭା ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ।ଶୁକ୍ରବାର ଦିନ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ମାର୍ଚ୍ଚ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ୩୧ ତାରିଖରେ ବିନିୟୋଗ ବିଲ୍ ଉପସ୍ଥାପିତ ହେବ । ସେହିପରି ଏପ୍ରିଲ ୩, ୬ ଓ ୮ ତାରିଖ ସରକାରୀ ଦିବସ ରହିଥିବା ବେଳେ ୫, ୭ ଓ ୯ ତାରିଖ ବେସରକାରୀ ଦିବସ ରହିଛି । ଏହା ମଧ୍ୟରେ ମାର୍ଚ୍ଚ ୧୪, ୨୧, ୨୮ ଏବଂ ଏପ୍ରିଲ୍ ୪ ତାରିଖ ରବିବାର ପାଇଁ , ମାର୍ଚ୍ଚ ୨୯ ତାରିଖ ହୋଲି , ଏପ୍ରିଲ ୧ ଓ ୨ ତାରିଖ ଯଥାକ୍ରମେ ଉତ୍କଳ ଦିବସ ଓ ଗୁଡ୍ ଫ୍ରାଇଡେ ପାଇଁ ଗୃହର ବୈଠକ ବସିବ ନାହିଁ । ଏପ୍ରିଲ ୯ ତାରିଖରେ ବଜେଟ୍ ଅଧିବେଶନ ଶେଷ ହେବ । ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୧୮ ତାରିଖ ଠାରୁ ୧୬ତମ ବିଧାନସଭାର ୩୧ ଦିନିଆ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଫେବୃଆରୀ ୨୨ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ ।


