୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ୭.୭ ପ୍ରତିଶତ ହ୍ରାସ ପାଇବା ପୂର୍ବାନୁମାନ
ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ବାସ୍ତବିକ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୧୧ ପ୍ରତିଶତ ଏବଂ ସାଂକେତିକ ଜିଡିପି ଅଭିବୃଦ୍ଧି ୧୫.୪ ପ୍ରତିଶତ ରହିବ। ସ୍ୱାଧୀନତା ପରଠାରୁ ଏହା ରେକର୍ଡ ସର୍ବୋଚ୍ଚ ସ୍ତର । ବିଶାଳ ଟୀକାରକରଣ କାର୍ୟ୍ୟକ୍ରମ, ସେବା କ୍ଷେତ୍ରରେ ଉନ୍ନତି ଏବଂ ଉପଯୋଗ ତଥା ନିବେଶରେ ଦ୍ରୁତ ସୁଧାର ସମ୍ଭାବନା ଯୋଗୁ ଅର୍ଥବ୍ୟବସ୍ଥାରେ ଇଂରାଜୀ ଅକ୍ଷର ‘ଠ’ ଆକୃତିରେ ଆର୍ଥିକ ସୁଧାର ଆସିପାରିଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରି କହିଛନ୍ତି ଯେ, କୋଭିଡ-୧୯ ଟୀକାକରଣ ସଫଳ ହେବା ପରେ ଅର୍ଥନୈତିକ ଗତିବିଧି ସ୍ୱାଭାବିକ ହେବାରେ ଲାଗିଛି । ଅର୍ଥବ୍ୟବସ୍ଥାର ମୂଳଦୁଆ ସୁଦୃଢ଼ ରହିଛି। ଲକ୍ଡାଉନକୁ କ୍ରମାନ୍ବୟ ଭାବେ ଉଠାଇବା ସହିତ ଆତ୍ମନିର୍ଭର ଭାରତ କାର୍ୟ୍ୟକ୍ରମ ଆରମ୍ଭ କରାଯିବା ଫଳରେ ମିଳୁଥିବା ସହାୟତା କାରଣରୁ ଅର୍ଥବ୍ୟବସ୍ଥା ଧୀରେ ଧୀରେ ସ୍ୱାଭାବିକତାର ସ୍ଥିତିକୁ ଫେରିବାରେ ଲାଗିଛି । ବର୍ତ୍ତମାନ ଅର୍ଥବ୍ୟବସ୍ଥା ସୁଧୁରିବା ରାସ୍ତାରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷର ବିକାଶ ହାର ତୁଳନାରେ ବାସ୍ତବିକ ଜିଡିପି ହାର ୨.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାର ଅର୍ଥ ଆସନ୍ତା ଦୁଇ ବର୍ଷରେ ଦେଶର ଅର୍ଥବ୍ୟବସ୍ଥା କରୋନା ମହାମାରୀ ଜନିତ କ୍ଷତିକୁ ଭରଣା କରିବା ସହିତ ପୂର୍ବାନୁମାନ ଠାରୁ ଆହୁରି ଅଧିକ ଉଚ୍ଚସ୍ତରକୁ ଯିବାର ସମ୍ଭାବନା ରହିଛି। ଆର୍ନ୍ତଜାତିକ ମୁଦ୍ରାପାଣ୍ଠିର ଆକଳନ ଅନୁସାରେ ୨୦୨୧-୨୨ ବର୍ଷରେ ଭାରତର ବାସ୍ତବିକ ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ରହିବାକୁ ଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୬.୮ ପ୍ରତିଶତ ରହିବ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ମତ ଅନୁସାରେ ଆସନ୍ତା ଦୁଇବର୍ଷ ମଧ୍ୟରେ ଭାରତ ଦ୍ରୁତତମ ଅର୍ଥନୈତିକ ଅଭିବୃଦ୍ଧି ହାସଲକାରୀ ଦେଶରେ ପରିଣତ ହେବ । ଏହି ସର୍ବେକ୍ଷଣରେ କୁହାଯାଇଛି ଯେ, ଭାରତ ଚଳିତ ଶତାବ୍ଦୀରେ ସବୁଠୁ ବଡ଼ ସଙ୍କଟ ଦେଇ ଗତି କରିଥିଲେ ମଧ୍ୟ ଆର୍ଥିକ ନୀତି ପ୍ରଣୟନ କ୍ଷେତ୍ରରେ ଦୂରଦର୍ଶିତାପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଏଥିରୁ ଦୀର୍ଘକାଳୀନ ଲାଭ ମିଳିବା ସହିତ ଭାରତ ଠାରୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ଶିକ୍ଷାଲାଭ କରିପାରିବେ। ଅର୍ଥନୀତି କ୍ଷେତ୍ରରେ ଭାରତ ଅଭିନବ ଚାରିଟି ସ୍ତମ୍ଭ ଆଧାରିତ ରଣନୀତି ଆପଣାଇଥିଲା। ଏହି ସ୍ତମ୍ଭଗୁଡ଼ିକ ହେଉଛି ନିୟନ୍ତ୍ରଣ, ରାଜକୋଷୀୟ, ଆର୍ଥିକ ଏବଂ ଦୀର୍ଘକାଳୀନ ଢାଞ୍ଚାଗତ ସୁଧାର। ଦେଶର ଉଦୀୟମାନ ଆର୍ଥିକ ପରିଦୃଶ୍ୟକୁ ଧ୍ୟାନରେ ରଖି ସୁବ୍ୟବସ୍ଥିତ ଢଙ୍ଗରେ ରାଜକୋଷୀୟ ଏବଂ ମୌଦ୍ରିକ ସହାୟତା ପ୍ରଦାନ କରାଗଲା। ଏଥିସହିତ ଏହି ସମୟରେ କ୍ରମିକ ଭାବେ ଅନଲକ ଜନିତ ସରକାରୀ ପଦକ୍ଷେପ ନିଆଗଲା। ଏଥିରେ ରାଜକୋଷ ଉପରେ ପଡ଼ିଥିବା ପ୍ରଭାବ ଏବଂ ନିରନ୍ତର ଋଣ ଯୋଗାଣ ଉପରେ ଜୋର ଦିଆଗଲା। ସର୍ବାଧିକ ଅସୁରକ୍ଷିତ ଲୋକମାନଙ୍କୁ ଆବଶ୍ୟକ ସହାୟତା ପହଞ୍ଚାଇବା ତଥା ବିଭିନ୍ନ ବସ୍ତୁର ଉପଭୋଗ ଏବଂ ନିବେଶକୁ ପ୍ରୋତ୍ସାହନ ଦିଆଗଲା। ଅନୁକୂଳ ମୌଦ୍ରିକ ନୀତି ଫଳରେ ପର୍ୟ୍ୟାପ୍ତ ଲିକ୍ୟୁଡିଟି ବା ନଗଦ ପ୍ରବାହ ସୁନିଶ୍ଚିତ ହେଲା ସେହିପରି ମୌଦ୍ରିକ ନୀତିଗତ ପଦକ୍ଷେପର ଲାଭ ପ୍ରଦାନ କରିବା ସମୟରେ ଋଣଗ୍ରହିତାମାନଙ୍କୁ ଅସ୍ଥାୟୀ ମହଲତ ଜରିଆରେ ତତ୍କାଳ ରିହାତି ପ୍ରଦାନ କରାଯାଇଥିଲା।
ସର୍ବେକ୍ଷଣରେ କୁହାଯାଇଛି ଯେ, ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୦-୨୧ ଆର୍ଥିକ ବର୍ଷରେ ଆନୁମାନିକ ୭.୭ ପ୍ରତିଶତ ହ୍ରାସ ପାଇବ। ଏହି ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୧୫.୭ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ମାତ୍ର ୦.୧ ପ୍ରତିଶତ ହ୍ରାସ ପରଲକ୍ଷିତ ହୋଇଛି। କ୍ଷେତ୍ର ଆଧାରିତ ପ୍ରଭାବକୁ ଦେଖିଲେ କୃଷି କ୍ଷେତ୍ରରେ ସିଲ୍ଭର ଲାଇନ ଅଭିବୃଦ୍ଧି ପରଲକ୍ଷିତ ହୋଇଛି। ତେବେ କଣ୍ଟାକ୍ଟ ଆଧାରିତ ସେବା, ଉତ୍ପାଦନ, ନିର୍ମାଣ କ୍ଷେତ୍ର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅବଶ୍ୟ ବର୍ତ୍ତମାନ ଏହି କ୍ଷେତ୍ରଗୁଡ଼ିକରେ ଧୀରେ ଧୀରେ ସୁଧାର ହେଉଥିବା ପରିଲକ୍ଷିତ ହେଉଛି। ସରକାରୀ ବ୍ୟୟ ଏବଂ ମୋଟ ରପ୍ତାନି ବୃଦ୍ଧି କାରଣରୁ ଅଭିବୃଦ୍ଧିରେ ଅଧିକ ହ୍ରାସକୁ ରୋକାଯାଇପାରିଛି। ଯାହା ଆଶା କରାଯାଉଥିଲା, ଲକଡାଉନ କାରଣରୁ ପ୍ରଥମ ତ୍ରୈମାସରେ ଜିଡିପିରେ ୨୩.୯ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ଦ୍ୱିତୀୟ ତ୍ରୈମାସରେ ଏଥିରେ ସୁଧାର ଆସିବା ସହିତ ‘ଠ’-ଆକୃତିର ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଏହି ତ୍ରୈମାସରେ ଜିଡିପି ହ୍ରାସ ହାର ୭.୫ ପ୍ରତିଶତରେ ପହଞ୍ଚିବା ସହିତ ଅର୍ଥବ୍ୟବସ୍ଥାର ସମସ୍ତ ସୂଚକାଙ୍କରେ ଉନ୍ନତ ସୁଧାର ପରିଲକ୍ଷିତ ହୋଇଥିଲା। ଜୁଲାଇ ପରଠାରୁ ସହନଶୀଳ ଙ୍ଖ-ଆକୃତିର ସୁଧାର ଜାରି ରହିଛି, ଯାହାକି ପ୍ରଥମ ତ୍ରୈମାସରେ ବ୍ୟାପକ ହ୍ରାସ ପରେ ଦ୍ୱିତୀୟ ତ୍ରୈମାସରେ ଅପେକ୍ଷାକୃତ କମ ହ୍ରାସରୁ ପରିଲକ୍ଷିତ ହୋଇଛି। ଭାରତ ଉପରେ ମହାମାରୀର ପ୍ରକୋପ ପଡ଼ିଥିଲେ ହେଁ ଏହାର ପରବର୍ତ୍ତୀ ସମୟରେ ସୁଧାର ଆସିଥିବା ନେଇ ଅର୍ଥନୀତିର କେତେକ ଗୁରୁତ୍ବପୂର୍ଣ୍ଣ ସଙ୍କେତକଗୁଡ଼ିକରୁ ଜଣାପଡ଼ିଛି। ଉଦାହରଣ ସ୍ବରୂପ ଇ-ୱେ ବିଲ, ରେଳ ମାଲ ଭଡ଼ା, ଜିଏସଟି ସଂଗ୍ରହ ଏବଂ ବିଦ୍ୟୁତ ଉପଯୋଗ କେବଳ ମହାମାରୀ ପୂର୍ବବର୍ତ୍ତୀ ସ୍ତରକୁ ଛୁଇଁନାହିଁ ବରଂ ପୂର୍ବ ବର୍ଷ ତୁଳନାରେ ଅଧିକ ହୋଇଛି। ରାଜ୍ୟ ଭିତରେ ଏବଂ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଗମନାଗମନ ସୁବିଧା ପୁଣି ଥରେ ଚାଲୁ କରିବା ଏବଂ ମାସିକ ଜିଏସଟି ସଂଗ୍ରହ ରେକର୍ଡ ସ୍ତରରେ ପହଞ୍ଚିବା ଫଳରେ ଏହା ଜଣାପଡ଼ିଥାଏ ଯେ ଦେଶରେ ଔଦ୍ୟୋଗିକ ଏବଂ ବାଣିଜ୍ୟିକ ଗତିବିଧି ପୁଣିଥରେ ବ୍ୟାପକ ସ୍ତରରେ ଉନ୍ମୁକ୍ତ ହୋଇସାରିଛି। ବାଣିଜ୍ୟିକ ପେପର ଜାରି କରାଯିବା ସଂଖ୍ୟାରେ ଦ୍ରୁତ ବୃଦ୍ଧି, ୟିଲ୍ଡ ହ୍ରାସ ପାଇବା ଏବଂ ଏମଏସଏମଇଗୁଡ଼ିକୁ ମିଳୁଥିବା ଋଣରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଦେଇଛି। ଏହି କାରଣରୁ ଜଣାପଡ଼ିଛି ଯେ ବିଭିନ୍ନ ଉଦ୍ୟୋଗଗୁଡ଼ିକର ଅସ୍ତିତ୍ବ ବଜାୟ ରଖିବା ତଥା ବିକଶିତ କରିବା ଲାଗି ବ୍ୟାପକ ମାତ୍ରାରେ ଋଣ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ସୁଧାର ଧାରାକୁ ଧ୍ୟାନରେ ରଖି ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷ ସମୟରେ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଦୃଢ଼ତା ଦେଖିବାକୁ ମିଳିଛି। ଗ୍ରାମୀଣ କ୍ଷେତ୍ରରେ ବୃଦ୍ଧି ପାଉଥିବା ଚାହିଦା କାରଣରୁ ସାମଗ୍ରୀକ ଆର୍ଥିକ ଅଭିବୃଦ୍ଧିକୁ ଆବଶ୍ୟକ ସାହାରା ମିଳିପାରିଛି। ଏଥିସହିତ ଡିଜିଟାଲ କାରବାର ବୃଦ୍ଧି ପାଇବା ଉପଭୋଗ ସଂକ୍ରାନ୍ତ ଢାଞ୍ଚାଗତ ସୁଧାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସମୀକ୍ଷାରେ କୁହାଯାଇଛି ଯେ କୃଷି କ୍ଷେତ୍ର କାରଣରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାକୁ କୋଭିଡ-୧୯ ମହାମାରୀ କାରଣରୁ ହୋଇଥିବା ଗୁରୁତର କ୍ଷତିର ପ୍ରଭାବକୁ ଯଥେଷ୍ଟ ହ୍ରାସ କରିବ। କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ପ୍ରଥମ ତ୍ରୈମାସ ସହିତ ଦ୍ୱିତୀୟ ତ୍ରୈମାସରେ ମଧ୍ୟ ୩.୪ ପ୍ରତିଶତ ରହିଥିଲା। ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ବିଭିନ୍ନ ପ୍ରଗତିଶୀଳ ସୁଧାର ଜୀବନ୍ତ କୃଷି କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ଯାହାକି ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ବିକାଶ ଗାଥା ନିମନ୍ତେ ଏକ ଆଶାର କିରଣ ଭାବେ କାର୍ୟ୍ୟ କରିବ। ଏହି ଆର୍ଥିକ ବର୍ଷରେ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଙ୍ଖ ଆକୃତିର ଅଭିବୃଦ୍ଧି ଦେଖିବାକୁ ମିଳିଛି। ଉତ୍ପାଦନ କ୍ଷେତ୍ର ପୁଣିଥରେ ଦ୍ରୁତଗତିରେ ବିକଶିତ ହେବା ଆରମ୍ଭ କରିଛି ଏବଂ ଶିଳ୍ପ ମୂଲ୍ୟ ସ୍ବାଭାବିକ ସ୍ଥିତିକୁ ଫେରିବା ଆରମ୍ଭ କରିଛି। ଭାରତର ସେବା କ୍ଷେତ୍ର ମହାମାରୀ ସମୟରେ ନିମ୍ନମୁଖୀ ହୋଇଥିଲେ ମଧ୍ୟ ପୁଣିଥରେ ଉନ୍ନତି ମାର୍ଗରେ ନିରନ୍ତର ଅଗ୍ରସର ହେଉଛି। ଡିସେମ୍ବରରେ ପିଏମଆଇ ସେବାର ଆଉଟପୁଟ ଏବଂ ନୂଆ କାରବାର ଲଗାତାର ତୃତୀୟ ମାସରେ ଅଭିବୃଦ୍ଧି ହାସଲ କରିଛି। ବିପତ୍ତି ସହ୍ୟ କରିବାର କ୍ଷମତା ଏବଂ ଋଣର ହ୍ରାସ ପାଉଥିବା ଚାହିଦା କାରଣରୁ ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ୟାଙ୍କ ଋଣ ସ୍ତରରେ ଅବନତି ଦେଖାଦେଇଥିଲା। ତେବେ କୃଷି ଏବଂ ତତସଂକ୍ରାନ୍ତ ଗତିବିଧି ଲାଗି ଦିଆଯାଇଥିବା ଋଣ ଅକ୍ଟୋବର ୨୦୨୧୯ର ୭.୧ ପ୍ରତିଶତରୁ ବୃଦ୍ଧି ପାଇ ଅକ୍ଟୋବର ୨୦୨୦ରେ ୭.୪ ପ୍ରତିଶତରେ ପହଞ୍ଚିଯାଇଥିଲା। ଅକ୍ଟୋବର ୨୦୨୦ରେ ନିର୍ମାଣ, ବାଣିଜ୍ୟ ଏବଂ ଆତିଥ୍ୟ ଭଳି କ୍ଷେତ୍ରରେ ଋଣ ପ୍ରବାହରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ଉତ୍ପାଦନ କ୍ଷେତ୍ରରେ ବ୍ୟାଙ୍କ ଋଣ ପ୍ରବାହ କମ ରହିଥିଲା। ସେବା କ୍ଷେତ୍ରରେ ଋଣ ପ୍ରବାହ ଅକ୍ଟୋବର ୨୦୧୯ରେ ୬.୫ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଅକ୍ଟୋବର ୨୦୨୦ରେ ୯.୫ ପ୍ରତିଶତରେ ପହଞ୍ଚିଛି। ଖାଦ୍ୟସାମଗ୍ରୀଗୁଡ଼ିକ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ୨୦୨୦ ବର୍ଷରେ ମୁଦ୍ରାସ୍ଫିତୀ ଉଚ୍ଚସ୍ତରରେ ରହିଥିଲା। ତେବେ ଡିସେମ୍ବର ୨୦୨୦ରେ ମୁଦ୍ରାସ୍ଫିତୀ ହାର ହ୍ରାସ ପାଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ୟ୍ୟ ହାର ୪+/-୨ର ସୀମା ମଧ୍ୟରେ ୪.୬ ପ୍ରତିଶତ ରହିଥିଲା। ନଭେମ୍ବରରେ ମୁଦ୍ରାସ୍ଫିତୀ ୬.୯ ପ୍ରତିଶତ ଥିବା ସମୟରେ ଡିସେମ୍ବରରେ ଏଥିରେ ସୁଧାର ଆସିଥିଲା। ଖାଦ୍ୟସାମଗ୍ରୀ ବିଶେଷ କରି ପନିପରିବା, ମୋଟା ଶସ୍ୟ ଏବଂ ପ୍ରୋଟିନଯୁକ୍ତ ଖାଦ୍ୟାସାମଗ୍ରୀର ମୂଲ୍ୟ ହ୍ରାସ ପାଇବା ଫଳରେ ବିଗତ ବର୍ଷ ତୁଳନାରେ ମୁଦ୍ରାସ୍ଫିତୀ ହାର ଅପେକ୍ଷାକୃତ କମ ରହିଥିଲା। ବାହ୍ୟ କ୍ଷେତ୍ରରୁ ମଧ୍ୟ ଭାରତର ଅଭିବୃଦ୍ଧିକୁ ଯଥେଷ୍ଟ ସହାୟତା ମିଳିପାରିଥିଲା। ଚଳନ୍ତି ଖାତାରେ ବଳକା ବର୍ଷର ପ୍ରଥମାର୍ଦ୍ଧ ସମୟରେ ଜିଡିପି ଅନୁପାତର ୩.୧ ପ୍ରତିଶତ ରହିଥିଲା। ସେବା ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ଏବଂ କମ ଚାହିଦା କାରଣରୁ ଏପରି ପରିଣାମ ମିଳିଥିଲା। ଏହି କାରଣରୁ ରପ୍ତାନି (ବାଣିଜ୍ୟିକ ରପ୍ତାନିରେ ୨୧.୨ ପ୍ରତିଶତ ଅବନଗତି ସହିତ) ତୁଳନାରେ ଆମଦାନୀ (ବାଣିଜ୍ୟିକ ଆମଦାନୀରେ ୩୯.୭ ପ୍ରତିଶତ ଅବନତି ସହିତ)ରେ ଭାରୀ ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ଏହା ଫଳରେ ଦେଶରେ ବିଦେଶୀ ମୂଦ୍ରା ଭଣ୍ଡାର ଏତେ ଅଧିକ ବୃଦ୍ଧି ପାଇଲା ଯେ ଏହାଦ୍ୱାରା ୧୮ ମାସର ଆମଦାନୀକୁ କଭର କରାଯାଇପାରିବ। ଜିଡିପି ଅନୁପାତରେ ବାହ୍ୟ ବା ବିଦେଶୀ ଋଣ ପରିମାଣ ମାର୍ଚ୍ଚ ୨୦୨୦ର ଶେଷରେ ୨୦.୬ ପ୍ରତିଶତରୁ ବୃଦ୍ଧି ପାଇ ସେପ୍ଟେମ୍ବର ୨୦୨୦ ଶେଷରେ ୨୧.୬ ପ୍ରତିଶତ ସ୍ତରରେ ପହଞ୍ଚିଯାଇଥିଲା। ତେବେ ବିଦେଶୀ ମୂଦ୍ରା ଭଣ୍ଡାର ଏବଂ ମୋଟ ଏବଂ ସ୍ବଳ୍ପକାଳୀନ ଋଣ (ମୂଳ ଏବଂ ଅବଶିଷ୍ଟ)ର ଅନୁପାତ ଉନ୍ନତ ହୋଇଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଭାରତ ପସନ୍ଦଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳୀ ହୋଇ ରହିଥିଲା। ବିଶ୍ବସ୍ତରୀୟ ନିବେଶକୁ ଶେୟାର କ୍ଷେତ୍ରରେ ବିନିଯୋଗ କରିବା ଏବଂ ଉଦୀୟମାନ ଅର୍ଥବ୍ୟବସ୍ଥାରେ ଦେଖା ଦେଇଥିବା ଦ୍ରୁତ ସୁଧାର କାରଣରୁ ଏହା ସମ୍ଭବ ହୋଇପାରିଥିଲା। ଦେଶରେ ନିଟ୍ ଏଫପିଆଇ ପ୍ରବାହ ନଭେମ୍ବର ୨୦୨୦ରେ ୯.୮ ବିଲିୟନ ଡଲାରର ସର୍ବକାଳୀନ ମାସିକ ଉଚ୍ଚତମ ସ୍ତରରେ ପହଞ୍ଚିଯାଇଥିଲା। ନିବେଶକମାନଙ୍କ ମଧ୍ୟରେ ପୁଣିଥରେ ରିସ୍କ ନେବାର ପ୍ରବୃତ୍ତି ବୃଦ୍ଧି ପାଇବା, ବିଶ୍ବସ୍ତରରେ ମୂଦ୍ରା ନୀତି କୋହଳ କରାଯିବା ଏବଂ ଘୋଷିତ ରାଜକୋଷୀୟ ପ୍ରୋତ୍ସାହନ ପ୍ୟାକେଜକୁ ଦୃଷ୍ଟିରେ ରଖି ଅନୁକୂଳ ପରିଣାମ ହାସଲ କରିବା ଉପରେ ବିଶେଷ ଗୁରୁତ୍ବାରୋପ କରାଯିବା ତଥା ଆମେରିକୀୟ ଡଲାର ଦୁର୍ବଳ ହେବା କାରଣରୁ ଏହା ସମ୍ଭବ ହୋଇପାରିଥିଲା। ୨୦୨୦ରେ ବିଭିନ୍ନ ଉଦୀୟମାନ ବଜାରଗୁଡ଼ିକ ମଧ୍ୟରେ ଭାରତ ଏକମାତ୍ର ଏପରି ଦେଶ ଥିଲା ଯେଉଁଠି ଇକ୍ୟୁଟି ଏବଂ ଏଫଆଇଆଇର ପ୍ରବାହ ଉଲ୍ଲେଖନୀୟ ହୋଇପାରିଥିଲା। ଦ୍ରୁତ ଗତିରେ ସେନସେକ୍ସ ଏବଂ ନିଫ୍ଟି ବୃଦ୍ଧି ପାଇବା ଫଳରେ ଭାରତରେ ବଜାର ପୁଞ୍ଜୀକରଣ ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁପାତ ଅକ୍ଟୋବର ୨୦୧୦ ପରେ ପ୍ରଥମ ଥର ୧୦୦ ପ୍ରତିଶତ ସ୍ତରକୁ ଟପି ଯାଇଥିଲା। ତେବେ ଏଥିଯୋଗୁ ଆର୍ଥିକ ବଜାର ଏବଂ ବାସ୍ତବିକ କ୍ଷେତ୍ରରେ କୌଣସି ସାମଞ୍ଜସ୍ୟ ନରହିବା କାରଣରୁ ଚିନ୍ତା ବ୍ୟକ୍ତ କରାଯାଇଥିଲା। ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ରପ୍ତାନିରେ ୫.୮ ପ୍ରତିଶତ ଏବଂ ଆମଦାନୀରେ ୧୧.୩ ପ୍ରତିଶତ ହ୍ରାସ ଦେଖାଦେବାର ସମ୍ଭାବନା ରହିଛି। ଭାରତରେ ଚଳନ୍ତି ଖାତା ବଳକା ୨୦୨୧ ଆର୍ଥିକ ବର୍ଷରେ ଜିଡିପିର ୨ ପ୍ରତିଶତ ରହିବାର ସମ୍ଭାବନା ରହିଛି ଯାହାକି ୧୭ ପରେ ଐତିହାସିକ ସର୍ବୋଚ୍ଚ ସ୍ତର। ଯୋଗାଣ ସହ ଜଡ଼ିତ ସ୍ଥିତିକୁ ଦେଖିଲେ ମୋଟ ମୂଲ୍ୟ ବର୍ଦ୍ଧିତ (ଜିଭିଏ)ରେ ବୃଦ୍ଧି ହାର ୨୦୨୦-୨୧ ଆର୍ଥିକ ବର୍ଷରେ ବିଯୁକ୍ତ ୭.୨ ପ୍ରତିଶତ ରହିବାର ସମ୍ଭାବନା ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୩.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିଲା। କୋଭିଡ-୧୯ ମହାମାରୀ କାରଣରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ପହଞ୍ଚିଥିବା କ୍ଷତିର ପ୍ରଭାବ କୃଷି କ୍ଷେତ୍ର କାରଣରୁ କମ ରହିବାର ସମ୍ଭାବନା ରହିଛି। କାରଣ ଏହି କ୍ଷେତ୍ରରେ ବୃଦ୍ଧି ହାର ୩.୪ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଏହି ଆର୍ଥିକ ବର୍ଷ ସମୟରେ ଉଦ୍ୟୋଗ ଏବଂ ସେବା କ୍ଷେତ୍ରରେ ବୃଦ୍ଧି ହାର ଯଥାକ୍ରମେ ବିଯୁକ୍ତ ୯.୬ ପ୍ରତିଶତ ଓ ବିଯୁକ୍ତ ୮.୮ ପ୍ରତିଶତ ରହିବାର ସମ୍ଭାବନା ରହିଛି। ଅର୍ଥନୈତିକ ସର୍ବେକ୍ଷଣରେ ଏଥିପ୍ରତି ରେଖାଙ୍କିତ କରାଯାଇଛି ଯେ ୨୦୨୦ ଆର୍ଥିକ ବର୍ଷ ସମୟରେ ଗୋଟିଏ ପଟେ କୋଭିଡ-୧୯ ମହାମାରୀ ବ୍ୟାପକ ପ୍ରଭାବ ଛାଇ ରହିବା ସହିତ ବିଶ୍ବସ୍ତରରେ ଆର୍ଥିକ ମାନ୍ଦାବସ୍ଥା ବୃଦ୍ଧି ପାଇବାର ଆଶଙ୍କା ରହିଛି। ବିଶ୍ବ ଆର୍ଥିକ ସଙ୍କଟ ପରେ ଏହା ସର୍ବାଧିକ ଗମ୍ଭୀର ସ୍ଥିତି ବୋଲି କୁହାଯାଉଛି। ଲକଡାଉନ ଏବଂ ସାମାଜିକ ଦୂରତା ସହ ଜଡ଼ିତ ବିଭିନ୍ନ ମାନକଗୁଡ଼ିକ କାରଣରୁ ପୂର୍ବରୁ ମାନ୍ଦାସ୍ଥିତିରେ ଥିବା ବିଶ୍ବ ଅର୍ଥବ୍ୟବସ୍ଥା ଆହୁରି ଅଧିକ ମାନ୍ଦାବସ୍ଥା ମଧ୍ୟକୁ ଚାଲିଯାଇଛି। ୨୦୨୦ ବର୍ଷରେ ବିଶ୍ବସ୍ତରୀୟ ଆର୍ଥିକ ଉତ୍ପାଦନରେ ୩.୫ ପ୍ରତିଶତ ହ୍ରାସ ଦେଖାଦେବାର ଆଶଙ୍କା ରହିଥିବା ଆଇଏମଏଫ ପକ୍ଷରୁ ଜାନୁଆରୀ ୨୦୨୧ରେ କରାଯାଇଥିବା ପୂର୍ବାନୁମାନରେ ଦର୍ଶାଯାଇଛି। ଏହା ସମ୍ପୂର୍ଣ୍ଣ ଶତାବ୍ଦୀରେ ସର୍ବାଧିକ ହ୍ରାସ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ନିଜର ଅର୍ଥବ୍ୟବସ୍ଥାକୁ ଆବଶ୍ୟକ ସହାୟତା ଦେବା ଲାଗି ଅନେକ ନୀତିଗତ ଉପାୟ ଅବଲମ୍ବନ କରିଛନ୍ତି; ଯେପରିକି ଗୁରୁତ୍ବପୂର୍ଣ୍ଣ ନୀତିଗତ ହାରରେ ହ୍ରାସ କରାଯାଇଛି, ଅଧିକ ସଂଖ୍ୟାରେ ଉଦାରୀକରଣ ଉପାୟ, ଋଣ ଉପରେ ଗ୍ୟାରେଣ୍ଟି, ନଗଦ ଅର୍ଥ ହସ୍ତାନ୍ତର ଏବଂ ରାଜକୋଷ ସଂକ୍ରାନ୍ତ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଛି। ଭାରତ ସରକାର ମହାମାରୀ କାରଣରୁ ଉତ୍ପନ୍ନ ହୋଇଥିବା ବିଭିନ୍ନ ପ୍ରକାରର ପ୍ରତିକୂଳ ପ୍ରଭାବଗୁଡ଼ିକୁ ଚିହ୍ନଟ କରିପାରିଛନ୍ତି। ଅଧିକ ଜନସଂଖ୍ୟା, ଜନସଂଖ୍ୟାର ଅଧିକ ଘନତ୍ବ ଏବଂ ଅପେକ୍ଷାକୃତ କମ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମୌଳିକ ଭିତ୍ତିଭୂମିକୁ ଧ୍ୟାନରେ ରଖି ଭାରତ ସମ୍ପର୍କରେ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ନିରାଶାଜନକ ବିକାଶ ପୂର୍ବାନୁମାନ କରିଥିଲେ। ଏହା ସତ୍ତ୍ବେ ସରକାର ନିଜ ଦେଶ ପାଇଁ ଅଭିନବ ବିକାଶ ମାର୍ଗରେ ଚାଲିବା ସୁନିଶ୍ଚିତ କରିଛନ୍ତି। ଦେଶରେ ମହାମାରୀର ପ୍ରକୋପ ଆରମ୍ଭ ହେବା ସମୟରେ (ଯେତେବେଳେ ଭାରତରେ ମାତ୍ର ୧୦୦ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା) ଯେପରି ଭାବେ କଡ଼ାକଡ଼ି ଲକଡାଉନ ଲାଗୁ କରାଯାଇଥିଲା ତାହା ଦର୍ଶାଉଛି ଯେ କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଭାରତ ପଦକ୍ଷେପ କେତେ ଅଭିନବ ଥିଲା। ପ୍ରଥମତଃ ମହାମାରୀ ବିଜ୍ଞାନ ଏବଂ ଆର୍ଥିକ ଗବେଷଣା ଉଭୟରୁ ପ୍ରାପ୍ତ ନିଷ୍କର୍ଷକୁ ଧ୍ୟାନରେ ରଖି ନୀତିଗତ ଉପାୟ ଅବଲମ୍ବନ କରାଯାଇଥିଲା। ବିଶେଷ କରି ମହାମାରୀ ବ୍ୟାପିବାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ସରକାରୀ ନୀତି ଅନ୍ତର୍ଗତ ହ୍ୟାନସନ ଓ ସର୍ଜଣ୍ଟେଙ୍କ ନୋବେଲ ପୁରସ୍କାର ପ୍ରାପ୍ତ ଗବେଷଣା (୨୦୦୧)କୁ ଲାଗୁ କରାଯାଇଥିଲା। ଯାହାର ଅନ୍ତର୍ଗତ ଏପରି ନୀତି ଗ୍ରହଣ କରିବା ନିମନ୍ତେ ସୁପାରିସ କରାଗଲା ଯାହାଫଳରେ ଅତ୍ୟନ୍ତ ବିଷମ ପରିସ୍ଥିତିରେ ମଧ୍ୟ କମରୁ କମ ଲୋକମାନଙ୍କର ମୃତ୍ୟୁ ଘଟିବ। ଅପ୍ରତ୍ୟାଶିତ ମହାମାରୀକୁ ଧ୍ୟାନରେ ରଖି ମୃତ୍ୟୁସଂଖ୍ୟା ସର୍ବନିମ୍ନ ସ୍ତରରେ ରଖିବା ଓ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଜୋର ଦିଆଗଲା। ଏହାବ୍ୟତୀତ ମହାମାରୀ ବିଜ୍ଞାନ ସଂକ୍ରାନ୍ତ ଗବେଷଣା ଆଧାରିତ ପଦକ୍ଷେପ, ବିଶେଷ କରି ଅତ୍ୟଧିକ ଜନସଂଖ୍ୟା ଘନତ୍ବ କାରଣରୁ ସାମାଜିକ ଦୂରତା ନିୟମ ପାଳନ କରିବା କଠିନ ହୋଇଥିଲେ ମଧ୍ୟ ଦେଶରେ କଡ଼ାକଡ଼ି ଲକଡାଉନ ଲାଗୁ କରିବା ଉପରେ ଜୋର ଦିଆଗଲା। ଲୋକମାନଙ୍କ ଜୀବନ ବଞ୍ଚାଇବା ଉପରେ ଜୋର ଦେଇ ଭାରତ ନୀତିଗତ ମାନବୀୟ ଉପାୟ ଅବଲମ୍ବନ କରିଥିଲା। ଏଥିଯୋଗୁ ପ୍ରାରମ୍ଭିକ ସ୍ଥିତିରେ ଲୋକମାନଙ୍କୁ ସାମାନ୍ୟ କଷ୍ଟ ସହିବାକୁ ପଡ଼ିଥିଲେ ମଧ୍ୟ ସେମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ଓ ଆର୍ଥିକ ବିକାଶର ଗତିକୁ ଦ୍ରୁତ କରି ଦୀର୍ଘକାଳୀନ ଲାଭ ପାଇବା ଉଦ୍ଦେଶ୍ୟରେ ଏପରି କରାଯାଇଥିଲା। ଦୀର୍ଘକାଳୀନ ଲାଭ ପାଇଁ ଅଳ୍ପ ସମୟ ପାଇଁ କଷ୍ଟ ଉଠାଇବା ନିମନ୍ତେ ସବୁବେଳେ ପ୍ରସ୍ତୁତ ଥିବା ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସାହସିକ ଉପାୟ କାରଣରୁ ହିଁ ଅନେକ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଲା। ଏଥିସହିତ ଙ୍ଖ ଆକୃତିର ଆର୍ଥିକ ବିକାଶ ହାର ହାସଲ ମଧ୍ୟ ହେଲା। ଦ୍ୱିତୀୟତଃ, ଭାରତ ପୂର୍ବରୁ ଖୁବ ଭଲ ଭାବେ ବୁଝି ନେଇଥିଲା ଯେ ମହାମାରୀ କାରଣରୁ ଦେଶର ଅର୍ଥବ୍ୟବସ୍ଥାରେ ସାମଗ୍ରୀ ଯୋଗାଣ ଏବଂ ଚାହିଦା ଉଭୟ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛି। ଏହାକୁ ଧ୍ୟାନରେ ରଖି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଗଲା, ଯାହାଫଳରେ ଲକଡାଉନ କାରଣରୁ ବସ୍ତୁଗୁଡ଼ିକର ଯୋଗାଣରେ ଦୀର୍ଘ ସମୟ ପର୍ୟ୍ୟନ୍ତ କୌଣସି ବ୍ୟବଧାନ ସୃଷ୍ଟି ହେବନାହିଁ। ଏହି ଦୃଷ୍ଟିରୁ ମଧ୍ୟ ଭାରତର ଏହି ପଦକ୍ଷେପ ସମସ୍ତ ପ୍ରମୁଖ ଦେଶଗୁଡ଼ିକ ତୁଳନାରେ ଅଭିନବ ସାବ୍ୟସ୍ତ ହେଲା। ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି କରିବା ପାଇଁ ନୀତି ଅନ୍ତର୍ଗତ ଏକ ଅଭିନବ ପଦକ୍ଷେପ ନିଆଗଲା। ବିଭିନ୍ନ ସାମଗ୍ରୀ, ବିଶେଷ କରି ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ମୋଟ ଚାହିଦା ପରିବର୍ତ୍ତେ ସଞ୍ଚୟ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଉପରେ ଜୋର ଦିଆଗଲା, ଯାହାକି ଅନିଶ୍ଚିତତା ସ୍ଥିତିରେ ଅଧିକ ବୃଦ୍ଧି ପାଇଥାଏ। ତେଣୁ ମହାମାରୀର ପ୍ରାରମ୍ଭିକ ମାସଗୁଡ଼ିକରେ ଯେତେବେଳେ ଅଧିକ ଅନିଶ୍ଚିତତା ଏବଂ ଲକଡାଉନ କାରଣରୁ ଆର୍ଥିକ କଟକଣା ଲାଗୁ ହୋଇଥିଲା, ସେତେବେଳେ ଭାରତରେ ଅନାବଶ୍ୟକ ସାମଗ୍ରୀର ଉପଭୋଗ ଉପରେ ବହୁମୂଲ୍ୟ ରାଜକୋଷ ସମ୍ବଳକୁ ଅପଚୟ କରାଗଲା ନାହିଁ। ଏହା ପରିବର୍ତ୍ତେ ନୀତିରେ ସମସ୍ତ ଆବଶ୍ୟକ ସାମଗ୍ରୀକୁ ସୁନିଶ୍ଚିତ କରିବା ଉପରେ ଜୋର ଦିଆଗଲା। ଫଳରେ ସମାଜର ଦୁର୍ବଳ ବର୍ଗଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରିତ କରିବା ଏବଂ ୮୦.୯୬ କୋଟି ହିତାଧିକାରୀମାନଙ୍କୁ ବିଶ୍ବର ସବୁଠୁ ବଡ଼ ଖାଦ୍ୟ ସବସିଡି କାର୍ୟ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସମ୍ଭବ ହୋଇପାରିଲା। ଭାରତ ସରକାର ସଙ୍କଟଗ୍ରସ୍ତ କ୍ଷେତ୍ରକୁ ଆବଶ୍ୟକ ରିହାତି ପ୍ରଦାନ କରିବା ଲାଗି ଜରୁରିକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା ମଧ୍ୟ ଆରମ୍ଭ କଲେ। ଯାହାଫଳରେ ବିଭିନ୍ନ କମ୍ପାନୀଗୁଡ଼ିକୁ ନିଜ ସଂସ୍ଥାରେ କର୍ମଚାରୀଙ୍କ ପାଇଁ ରୋଜଗାର ଉପଲବ୍ଧ କରାଇବା ଏବଂ ନିଜ ଦେୟତା ପରିଶୋଧ କରିବାରେ ସହାୟତା ମିଳିପାରିଲା।


