୨୩ତମ ଗୁରୁ ପ୍ରଣାମ ମହୋତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଗୁରୁକୂଳ ଆନ୍ଦୋଳନର ମୁଖ୍ୟ, ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ସ୍ୱାମୀ ସର୍ଭିସ୍ ମିଶନ୍ ପକ୍ଷରୁ ୨୩ତମ ଗୁରୁ ପ୍ରଣାମ ମହୋତ୍ସବ -୨୦୨୩ ଶୁକ୍ରବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ହେଉଛି ଗୁରୁ ପ୍ରଣାମ ଓ ସଂସ୍କୃତିର ଗନ୍ତାଘର । ପୂଜ୍ୟପୂଜା ହେଉଛି ଉତ୍କଳର ପାତାଳଭେଦୀ ସଂସ୍କୃତି । ଏହି ବାର୍ତ୍ତାକୁ ଘରେଘରେ ପହଞ୍ଚାଇବାର ପ୍ରୟାସ ସମସ୍ତେ କରିବା ଉଚିତ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ।ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପରିବ୍ରାଜକ ଜୈନମୁନି ଆଚାର୍ଯ୍ୟ ଶ୍ରୀ ଅରବିନ୍ଦ ମୁନି କହିଲେ ଯେ, ଆମ ସଂସ୍କୃତି ହଜାର ହଜାର ବର୍ଷର ସଂସ୍କୃତି । ଆମ ସଂସ୍କୃତି ପରମ୍ପରାରେ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଇଛି । ଗୁରୁ କେବଳ ଜ୍ଞାନଦାତା ନୁହଁନ୍ତି, ସେ ମଧ୍ୟ ମାର୍ଗଦର୍ଶକ । ଛତ୍ରପତି ଶିବାଜୀ ସମର୍ଥ ରାମଦାସଙ୍କ ପରାମର୍ଶରେ ରାଜ୍ୟ ଶାସନ କରୁଥିଲେ । ସଭାର ପ୍ରାରମ୍ଭରେ ଓଡ଼ିଶାର ବିଶିଷ୍ଟ ବେଦବିତ୍ ଯଜ୍ଞପୁରୁଷ ଡଃ ନିରଞ୍ଜନ ବ୍ରହ୍ମାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ପରଲୋକଗତ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଡଃ ରବିନ୍ଦ୍ର ନାଥ ପଣ୍ଡା କହିଲେ ଯେ, ସମାଜର ଭ୍ରଷ୍ଟାଚାର, ଅନ୍ୟାୟ, ଅନୀତି, ଦୁର୍ନୀତି ଦୂର କରିବାରେ ଗୁରୁଙ୍କର ଏକ ମୁଖ୍ୟ ଭୂମିକା ରହିଛି । କିନ୍ତୁ ତାହା କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ଓ ନିଷ୍ଠାର ଆବଶ୍ୟକତା ରହିଛି । ମୁଖ୍ୟବକ୍ତା ପ୍ରଶାସିକା ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ଓ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ଭାରତୀୟ ସଂସ୍କୃତି ହେଉଛି ତ୍ୟାଗର ସଂସ୍କୃତି, ବାଣ୍ଟି ଖାଇବାର ସଂସ୍କୃତି, ଆମେ ଆଜି ତାକୁ ଭୁଲି ଯାଇଛୁ ବୋଲି ଆଜି ସମାଜରେ ବିଶୃଙ୍ଖଳା ଦେଖାଦେଇଛି । ଏହି ଅବସରରେ ମୁଖ୍ୟ ଅତିଥି ଡଃ ପଣ୍ଡା, ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ଡଃ ପବନ କୁମାର ଜେନା, ପାଲାଚାର୍ଯ୍ୟ ସୁରେନ୍ଦ୍ର ନାଥ ଛୋଟରାୟଙ୍କୁ ଗୁରୁ ପ୍ରଣାମ ସମ୍ମାନ – ୨୦୨୩ରେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଶିଷ୍ଟ ବାଗ୍ମୀ, ସଂସ୍କୃତି ପୁରୁଷ, ଓଡ଼ିଆ ଭାଷା ପ୍ରାଣ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଶୁଭ ଜନ୍ମଦିବସ ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦ ପାଠ, ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସମାଜସେବୀ ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥଲେ । ସମାଜସେବୀ ବରୁଣରାଜ ଓ ପ୍ରଭାତ କୁମାର ପାଣିଗ୍ରାହୀ, ସଂଯୋଜକ ବାପୁ ଓଝା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ବାବା ବାଳକାନନ୍ଦ ମହାରାଜ, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି, ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଡଃ ବୁଦ୍ଧଦେବ ମିଶ୍ର, ଡଃ ବ୍ରଜବନ୍ଧୁ ପଣ୍ଡା ଓ ମନୋଜ ରଥଙ୍କୁ ସାଲ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା, ଅଧିବକ୍ତା ବନ ମହାନ୍ତି, ଡଃ ଯୁଧିଷ୍ଠିର ଖଟୁଆ, ନ୍ୟାୟମୂର୍ତ୍ତି ମନୋଞ୍ଜନ ମହାନ୍ତି, ସମାଜସେବିକା ସମିତା ମହାରଣା, ଅଧିବକ୍ତା ଦୁଃଖିଶ୍ୟାମ ଦାସ ପ୍ରମୁଖ ବିଜ୍ଞ ପୁରୁଷ, ବାଣୀଭୂଷଣ ନିରଞ୍ଜନ ବ୍ରହ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


