୨୩୩ତମ “ମିଟ୍ ଦ ଆର୍ଟିଷ୍ଟ” କାର୍ଯ୍ୟକ୍ରମ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ଜେ.ଡି.ସି.ଏ. ଭୁବନେଶ୍ୱର ତରଫରୁ ପ୍ରତ୍ୟେକ ମାସ ଦ୍ୱିତୀୟ ଶନିବାର ଦିନ ଆୟୋଜନ କରାଯାଉଥିବା “କଳାକାରଙ୍କ ସାଙ୍ଗେ” (ମିଟ୍ ଦ ଆର୍ଟିଷ୍ଟ)ର ୨୩୩ତମ କାର୍ଯ୍ୟକ୍ରମ ଆଜି ଏହାର କାର୍ଯ୍ୟାଳୟ, ଏ/୨୦, ଭି.ଆଇ.ପି. କଲୋନୀ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥରର ବିଷୟବସ୍ତୁ ଥିଲା “କଳା” । ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ତଥା କଳାକାର ଡଃ ଯଦୁନାଥ ପ୍ରସାଦ ଦାସଙ୍କୁ (ଡଃ ଜେ.ପି.ଦାସ)ଙ୍କୁ ଶ୍ରୀମତୀ ନିବେଦିତା ସ୍କୁଡର ଏବଂ ଶ୍ରୀ ଧିରେନ୍ କୁମାର ରାୟ ପାରମ୍ପରିକ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଡଃ ଦାସ ଏକାଧାରରେ ଜଣେ ସୁନାମଧନ୍ୟ ହୃଦ୍‌ରୋଗ ବିଶେଷଜ୍ଞ, ଚିତ୍ରକର ଓ କବି ହିସାବରେ ଖ୍ୟାତି ଅର୍ଜ୍ଜନ କରିଛନ୍ତି । ଡଃ ଦାସ ୧୯୫୬ ମସିହାରେ ଏସ୍‌.ସି.ବି. ମେଡିକାଲ୍ କଲେଜରୁ ସମ୍ମାନର ସହ ସ୍ନାତକ ଶେଷ କରିବା ପରେ ଇଂଲଣ୍ଡରେ ମେଡିସିନ୍‌ରେ ସ୍ନାତକୋତ୍ତର ଅଧ୍ୟୟନ ପରେ ଲଣ୍ଡନ ଓ ଏଡିନ୍‌ବର୍ଗ ଏବଂ ମାଞ୍ଚେଷ୍ଟର ଆଦି ସହରରେ କାର୍ଯ୍ୟ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତ ଆସି ସେ ଭେଲୋର ହସ୍‌ପିଟାଲ୍‌ରୁ ହୃଦ୍‌ରୋଗ ବିଭାଗରେ ସର୍ବୋଚ୍ଚ ଶିକ୍ଷା ଶେଷ କରି ଏସ୍‌.ସି.ବି.ମେଡିକାଲ କଲେଜ, କଟକରେ ପ୍ରଫେସର୍ ଓ ବିଭାଗୀୟ ମୁଖ୍ୟ ଭାବରେ ୧୯୬୨ରୁ ଦୀର୍ଘ ୧୭ବର୍ଷ ଧରି କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରି ଓଡ଼ିଶାର ଜଣେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ । ସ୍କୁଲପଢ଼ା ସମୟରୁ ସେ ଚିତ୍ରକଳା ପ୍ରତି ବହୁତ ଆକୃଷ୍ଟ ହୋଇଥିଲେ । କିନ୍ତୁ ବ୍ୟସ୍ତବହୁଳ କର୍ମମୟ ଜୀବନ ଯୋଗୁଁ ସେ ଚିତ୍ରକଳା ପ୍ରତି ଅଧିକ ସମୟ ଦେଇପାରି ନଥିଲେ । ତେଣୁ ସେ ୫ବର୍ଷ ପୂର୍ବରୁ ନିଜ ତରଫରୁ ଚାକିରୀ କ୍ଷେତ୍ରରୁ ଅବ୍ୟାହତି ନେଇ ଚିତ୍ର ଆଙ୍କିବା କାମରେ ନିମଗ୍ନ ହୋଇଥିଲେ । ସେ ଚିତ୍ର ମାଧ୍ୟମରେ ନିଜର ଭାବନାକୁ ପରିପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅବସର ବେଉରିଆ, ଗାୟତ୍ରୀ ଦାସ, ଜାପାନୀ ବାବୁ, ଜି ଉପାଧ୍ୟାୟ, ବି.ଏମ୍‌. ପଟ୍ଟନାୟକ, ପୂର୍ଣ୍ଣିମା ଉପାଧ୍ୟାୟ, ଅରବିନ୍ଦ ବେହେରା, ଧିରେନ୍ ଦାସ, ବିରେନ୍ ଦାସ, ଜ୍ୟୋତିରଞ୍ଜନ ସ୍ୱାଇଁ, ରାମହରି ଜେନା, ପୃଥ୍ୱୀରାଜ ସିଂହଦେଓ, ମଙ୍ଗଳା ପ୍ରସାଦ ମହାନ୍ତି, ଭାଗିରଥୀ ବେହେରା, ଚୈତାବସୁ ଜେନା, ରାଜୀବ ଷଡ଼ଙ୍ଗୀ, ସୁନିତା ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ବିଶ୍ୱଜିତ ରାଉତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ