୨୯ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର -: ସ୍ଥାନୀୟ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରାଙ୍ଗଣରେ ସନ୍ଥକବି, ମାନବଧର୍ମ, ଦର୍ଶନ, ସାମାଜିକ ସୁରକ୍ଷାର ପ୍ରତୀକ ସନ୍ଥ ଭୀମଭୋଇଙ୍କ ପବିତ୍ର ଭୂମିଷ୍ଠ ଦିବସ ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଚତୁଃପାଶ୍ୱର୍ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ, ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ସନ୍ଥ ଭୀମଭୋଇ କୁସଂସ୍କାର ବିରୁଦ୍ଧରେ, ମାନବ ଧର୍ମ, ଦର୍ଶନ, ସାମାଜିକ ସୁରକ୍ଷା, ସମାଜ ସଂସ୍କାର ପ୍ରମୁଖର ଅଗ୍ରଣୀ ସାରଥୀ ଥିଲେ । ତାଙ୍କର କାଳଜୟୀ ବାକ୍ୟ ‘ପ୍ରାଣୀଙ୍କ ଆରତ, ଦୁଃଖ ଅପ୍ରମିତ । ଦେଖୁ ଦେଖୁ କିବା ସହୁ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ । ତାଙ୍କର ଏହି ବାଣୀ ସାରା ବିଶ୍ୱକୁ ଏକ ନୂତନ ବାର୍ତ୍ତା ଦେବା ସହିତ ଜଗତ ଉଦ୍ଧାର କରିବା ପାଇଁ ଏକ ପ୍ରେରଣାର ସ୍ରୋତ ହୋଇ ରହି ଆସିଛି । ପବିତ୍ର ବୈଶାଖ ପୂର୍ଣ୍ଣିମା ଦିନ ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁରଠାରେ ଏହି କାଳଜୟୀ କବି, ସମାଜ ସଂସ୍କାରକ ଭୂମିଷ୍ଠ ହୋଇଥିଲେ । ତାଙ୍କର ଆବିର୍ଭାବ ଦିନ ସମ୍ବନ୍ଧରେ ସଠିକ୍ ତଥ୍ୟ ନାହିଁ । ସରକାର ତାଙ୍କର ଆବିର୍ଭାବ ତାରିଖ ସମ୍ବନ୍ଧରେ ଗବେଷଣା କରି ଲୋକଲୋଚନକୁ ଆଣିବା ପାଇଁ ଅଭିଯାନ ପକ୍ଷରୁ କୁହାଯାଇଥିଲା । ଜାତିପ୍ରଥା, ଉଚ୍ଚ-ନୀଚ୍ଚ ଭାବ ତଥା ମହିମା ଧର୍ମର ପ୍ରଚାର ପ୍ରସାର ନିମିତ୍ତ ତାଙ୍କର ଉଦ୍ୟମ ଅବର୍ଣ୍ଣନୀୟ । ବହୁ ଚଉପଦୀ, ଜଣାଣ, ଭଜନ ମାଧ୍ୟମରେ ସେ ସମାଜକୁ ଏକ ନୂତନ ଦର୍ଶନ ଦେଇଥିଲେ ।
ଏହି ସ୍ମୃତିଚାରଣ ସଭାରେ ଭୀମଭୋଇ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୌରାଙ୍ଗ ଚନ୍ଦ୍ର ପାତ୍ର, ଅଭିଯାନର ବରିଷ୍ଠ ସଦସ୍ୟ ବ୍ରଜବନ୍ଧୁ ପରିଡ଼ା, ନାରାୟଣ ଚନ୍ଦ୍ର ଓଝା, ଶିବଶଙ୍କର ଡାକୁଆ, ସଂଗ୍ରାମ ବଳିୟାରସିଂହ, ଲକ୍ଷ୍ମଣ ଦାସ, ତନ୍ମୟ ସାମନ୍ତରାୟ, ସଞ୍ଜୟ କୁମାର ପରିଡ଼ା, ରାଜ୍ କୁମାର, ମଦନ ମୋହନ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


