୨ ଅଣ ଓଡ଼ିଆ ବ୍ୟବସାୟୀ ଙ୍କୁ ଅପହରଣ ଓ ଲୁଟ୍ ମାମଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ମଙ୍ଗଳବାର କେ.ନୂଆଗାଁ ଥାନା ବଢେଇ ସନ୍ଧି ଗାଁ ବିରମେଖପୁର ଗ୍ରାମର ସଦା ଓରଫ ସଦାନନ୍ଦ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୯୭/୨୨ ଦଫା – ୩୯୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଜୁନ ୫ ତାରିଖ ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ଦିଗପହଣ୍ଡି ବ୍ଲକ ଦେଓଖାଳି ଛକ ନିକଟ ଚକିପଡ଼ା ଗ୍ରାମ ନିକଟରୁ ମୁଖ୍ୟ ଅଭିଯୁକ୍ତ କୁନା ଙ୍କ ସମେତ ସମୁଦାୟ ୮ ଜଣ ଯୁବକ କାର ରେ ଆସିଥିବା ଝାଡ଼ଖଣ୍ଡ ର ୨ ଅଣ ଓଡ଼ିଆ ବ୍ୟବସାୟୀ ନରେଶ ସାହୁ ଓ ତାଙ୍କ ସାଙ୍ଗ କୃଷ୍ଣ କୁମାର ଙ୍କୁ ଛୁରୀ ଦେଖାଇ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଜବରଦସ୍ତ ନେଇ ଯାଇଥିଲେ। ସେଠାରେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ମାରୁତି ଡିଜାଇର କାର ନଂ. (ଜେ ହେଚ ୦୧ ଡି ଭି -୪୫୧୧)  ଓ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ହୋଇଥିଲା।ଉଭୟଙ୍କୁ ମାଡ଼ ମାରି ଜୀବନରେ ମାରିଦେବାକୁ ଧମକ ଦେଇ ଅଭିଯୁକ୍ତ କୁନା,ମାଷ୍ଟର ମାଇଣ୍ଡ ସଦାନନ୍ଦ ଙ୍କ ସମେତ ଅନ୍ୟମାନେ ନରେଶ ଏବଂ କୃଷ୍ଣ ଙ୍କ ଠାରୁ  ଆକ୍ସିସ ବ୍ୟାଙ୍କ ଏ ଟି ଏମ୍ କାର୍ଡ ଛଡାଇ ନେଇଥିଲେ। ପରେ ପିନ ନଂ କହିବାକୁ ବାଧ୍ୟକରି ପ୍ରଥମ ପର୍ଯ୍ୟାୟରେ ୧୭ ହଜାର ଟଙ୍କା ନିକଟସ୍ଥ ଏ ଟି ଏମ୍ କାଉଣ୍ଟର ରୁ ଉଠାଣ କରିନେଇ ଯାଇଥିଲେ। ୨ ୟ ପର୍ଯ୍ୟାୟ ରେ ୩୩ ହଜାର ଟଙ୍କା ଏକ ମୋବାଇଲ ନଂ ର ଫୋନ ପେ କୁ ଟ୍ରାନସଫର କରି ଦେଇଥିଲେ। ଏଭଳି ଭାବେ ଉଭୟଙ୍କ ପରିବାର ଲୋକ ଏବଂ ସାଙ୍ଗ ସାଥି ଙ୍କୁ ଅପହରଣ ସମ୍ପର୍କରେ ସୂଚନା ଦେଇ ଡକାୟତ ଗ୍ୟାଙ୍ଗ ର ସଦସ୍ୟ ମାନେ ସେମାନଙ୍କ ନିକଟରୁ ସମୁଦାୟ ୩ ଲକ୍ଷ ୧୫ ହଜାର  ଟଙ୍କା ନେଟ୍ ବ୍ୟାଙ୍କିଂ ଏବଂ ଫୋନ ପେ , ଗୁଗଲ ପେ ମାଧ୍ୟମରେ ନେଇଯିବା ପରେ କାର ଟି କୁ ମଧ୍ୟ ଛଡାଇ ରଖିଥିଲେ। ପରେ ଏକ ବାଇକ ରେ ଉଭୟଙ୍କୁ ବସାଇ ବ୍ରହ୍ମପୁର ନେଇ ଛାଡ଼ି ଦେଇଥିଲେ। ୧୦ ଲକ୍ଷ ଟଙ୍କା ଦେଲେ କାର ଟି କୁ ଦିଆଯିବ ବୋଲି ସେମାନେ ଉଭୟଙ୍କୁ ଶୁଣାଇଥିଲେ ଏନେଇ ଝାଡ଼ଖଣ୍ଡ ରାଞ୍ଚି  ଜିଲା ଧୋତିଆ ଥାନା ଉପର ଛୋଟିଆ ଗ୍ରାମର ନରେଶ ସାହୁ ଦିଗପହଣ୍ଡି ଥାନାରେ  ଏତଲା ଦେଇଥିଲେ।   ସୂଚନା ପ୍ରକାରେ ଗଞ୍ଜେଇ ଚୋରା ଚାଲାଣ କୁ ନେଇ ଅଭିଯୁକ୍ତ ମାନଙ୍କ ସହ  ନରେଶ ଏବଂ କୃଷ୍ଣ ଙ୍କ ପୂର୍ବରୁ ସମ୍ପର୍କ ରହିଥିଲା। ବ୍ୟବସାୟ ଏବଂ ଚୋରା ଚାଲାଣ ରେ ସହାୟତା ପାଇଁ ସେମାନଙ୍କ ସହ ମୂଲ ଚାଲ ହୋଇଥିଲା। ନରେଶ ଅଭିଯୁକ୍ତ ମାନଙ୍କୁ ପାରିଶ୍ରମିକ ଦିଆଯିବ କହି ଠକେଇ କରିଥିଲେ। ଫଳରେ ତାଙ୍କୁ ପାନେ ଦେବା ପାଇଁ ଅଭିଯୁକ୍ତ ମାନେ ପୂର୍ବ ଯୋଜନା ପ୍ରକାରେ ନରେଶ ଙ୍କୁ ଡକାଇ ଲୁଟ ପାଟ କରିଥିଲେ ବୋଲି ଜଣାପଡିଛି। ଗତ ଜୁନ ୫ ତାରିଖ ରେ ନରେଶ  ତାଙ୍କ ସାଙ୍ଗ ଝାଡ଼ଖଣ୍ଡ ରାଞ୍ଚି ଜିଲା ଆର୍ଗୋରା ଥାନା ହରମୁଆନନ୍ଦପୁରୀ ଛକ ର କୃଷ୍ଣ କୁମାର ଭୁବନେଶ୍ୱର ରୁ ଗୁଣପୁର ଯିବା ପାଇଁ ବାହାରିଥିଲେ।ଉଭୟେ ଦିଗପହଣ୍ଡି ଦେଇ ଗୁଣପୁର ଭାୟା ଚିକିଟି ଯାଉଥିବା ବେଳେ ପ୍ରାୟ ମଧ୍ୟାହ୍ନ ସାଢେ ୧୧ ଟା ରେ ଚାହା ପିଇବା ପାଇଁ ଚକିପଡ଼ା ଗ୍ରାମ ନିକଟ ଦେଓଖାଳି ଛକ ରେ ଅଟକି ଥିଲେ। ଏହି ସମୟରେ ପୂର୍ବ ପରିଚିତ ୮  ଯୁବକ ତାଙ୍କ କାର କୁ ଘେରି ଯାଇଥିଲେ। ଦେଓ ଖାଳି ଗ୍ରାମର ଗ୍ୟାଙ୍ଗ ଲିଡର କୁନା ପ୍ରଧାନ ତାଙ୍କୁ ଛୁରୀ ଦେଖାଇ ଦେଓଖାଳି – ପେଣ୍ଡୁରାବାଡି ନିଛାଟିଆ ରାସ୍ତା ନିକଟସ୍ଥ କାଳେଶ୍ୱର ଶୈବପୀଠ  ଦେଇ ଗ୍ରାମ୍ୟ ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ। ପୋଲିସ ପୂର୍ବରୁ ଅଭିଯୁକ୍ତ କୁନା ପ୍ରଧାନ ଙ୍କୁ ଗିରଫ କରି ତାଙ୍କ ନିକଟରୁ ୧ ଲକ୍ଷ ଟଙ୍କା, ମୋବାଇଲ ଫୋନ ଏବଂ କାର କୁ  ଜବତ କରି ଗତ ଜୁନ ୧୦ ତାରିଖରେ କୋର୍ଟ ଚାଲାଣ କରିଥିଲେ।ଏହି ମାମଲାରେ ସେ ବର୍ତ୍ତମାନ ଦିଗପହଣ୍ଡି ଜେଲ ରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ