୪୦୦ କୋଟିରେ ହେବ ବିଧାୟକଙ୍କ ଆପାର୍ଟମେଣ୍ଟ୍‌

ଭୁବନେଶ୍ୱର : ଏମ୍‌ଏଲ୍‌ଏ କଲୋନିର କିଛି ଅଂଶ ଭଙ୍ଗାଯିବ । ସେଠାରେ ନିର୍ମିତ ହେବ ଅତ୍ୟାଧୁନିକ ଆପାର୍ଟମେଣ୍ଟ୍ । ପ୍ରାୟ ୪୦୦ କୋଟି ଟଙ୍କାରେ ହେବାକୁ ଥିବା ଏହି କୋଠାରେ ବିଧାୟକଙ୍କ ରହିବା ପାଇଁ ୧୫୦ଟି ଟାଇପ୍‌-୭ ଫ୍ଲାଟ୍ ରହିବ । ଏହା ସହ ଏଥିରେ ଜଗିଙ୍ଗ୍ ଟ୍ରାକ୍‌, ଗୋଷ୍ଠୀ କେନ୍ଦ୍ର ଓ ଲିଫ୍ଟ ଆଦି ସୁବିଧା ଉପଲବ୍ଧ ହେବ । ଏହି ପ୍ରସ୍ତାବିତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସମୀକ୍ଷା କରିଥିଲେ ।
ସମୀକ୍ଷା ବୈଠକରେ ପୂର୍ତ୍ତ ବିଭାଗର ସଚିବ କ୍ରିଷନ୍ କୁମାର ଓ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ଏସ୍‌.ଆର୍‌. ସେଠୀ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏହି ଆପାର୍ଟମେଣ୍ଟ୍ ନିର୍ମାଣ ପରେ ଏମ୍‌ଏଲ୍‌ଏ କଲୋନି ଅବଶିଷ୍ଟ ଅଂଶ ଭଙ୍ଗାଯାଇ ବିଧାନସଭା କର୍ମଚାରୀଙ୍କ ପାଇଁ ଆପର୍ଟମେଣ୍ଟ୍ ନିର୍ମାଣ ହେବ । ସେହିପରି ବିଧାନସଭାରେ ଥିବା ଗ୍ରନ୍ଥାଗାର କୋଠାର ସମ୍ପ୍ରସାରଣ କରାଯିବା ସହ ବିଧାନସଭା ଗୃହର ଆଭ୍ୟନ୍ତରୀଣ ଅଂଶର ନବୀକରଣ ହେବ । ଏଥିରେ ଆଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଯନ୍ତ୍ରପାତି ସଂଯୋଗ କରାଯାଇ ଏହାକୁ ଅତ୍ୟାଧୁନିକ ରୂପ ଦିଆଯିବ । ଏହା ବାଦ୍ ବିଧାନସୌଧର ସ୍ଥାୟୀ ଆଲୋକୀକରଣ ପାଇଁ ପଦକ୍ଷେପ ନିଆଯିବ । ଏହି ସବୁ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ମାହାଲ ନିର୍ଦ୍ଦେଶକ ହେମନ୍ତ କୁମାର ପାଢ଼ୀ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଶାସନ ସଚିବ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଜେ କେ ଦାସଙ୍କ ସମେତ ପୂର୍ତ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ