ବିଜେପୁରରେ ମୁହାଁମୁହିଁ ହେବେ ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବିଜେପୁରରେ ପ୍ରଚାରକୁ ଓହ୍ଲାଇବେ । ଦୁଇ ଦିନ ସେଠାରେ ରହି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସେ ମାରାଥନ୍ ପ୍ରଚାର କରିବେ । ବିଜେପୁର ଉପନିର୍ବାଚନର ପ୍ରଚାର ୧୯ ତାରିଖରେ ଶେଷ ହେଉଥିବା ବେଳେ ନବୀନଙ୍କ ଏହି ପ୍ରଚାର ବେଶ୍ ଗୁରୁତ୍ୱ ବହନ କରୁଛି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ବଳ ଦେବା ପାଇଁ ୧୮ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ପ୍ରଚାରରେ ସାମିଲ ହେବେ । ୧୮ ତାରିଖରେ ବିଜେପୁରରେ ଉଭୟ ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍ ନେତା ପ୍ରଚାର କରିବାର ଥିବାରୁ
ରାଜନୈତିକ ପରିବେଶ ବେଶ୍ ସରଗରମ ହେବାର ସମ୍ଭାବନା ରହିଛି ।
୧୭ ତାରିଖ ସକାଳ ୧୦ଟା ୩୦ରେ ବରଗଡ଼ ଜିଲ୍ଲାର ଲାଉମୁଣ୍ଡା ଷ୍ଟାଡିୟମରେ ହୋଇଥିବା ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବେ । ସେଠାରୁ କାର୍ ଯୋଗେ କୁରକୁଟ୍ଟା ଯାଇ ପ୍ରଚାର ଆରମ୍ଭ କରିବେ । ଏହା ପରେ ଦିନତମାମ ସେ ରୋଡ୍ ସୋ’ କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉଦବୋଧନ ଦେବେ । ୧୭ ତାରିଖ ରାତିରେ ବରଗଡ଼ର ପୂର୍ତ୍ତ ବିଭାଗ ଆଇବିରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ । ୧୮ ତାରିଖ ସକାଳ ସାଢ଼େ ୯ଟାରେ ସେ ବରଗଡ଼ରୁ ହେଲିକପ୍ଟର୍ ଯୋଗେ ଯାଇ ଗାଇସିଲଟ୍ ବ୍ଲକର ତଳପାଲି ଯାତ୍ରା ପଡ଼ିଆରେ ଓହ୍ଲାଇବେ । ସେଠାରୁ ରୋଡ୍ ସୋ’ ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିବେ । ଅପରାହ୍ନ ୨ଟା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀ ପ୍ରଧାନ ଗତ ସପ୍ତାହରେ ବିଜେପୁର ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ୧୮ ତାରିଖରେ ପୁଣି ଦିନତମାମ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ସେହିଦିନ ସକାଳ ୧୦ଟାରେ ବିଜେପୁର ଏନ୍‌ଏସିରୁ ଶ୍ରୀ ପ୍ରଧାନ ରୋଡ୍ ସୋ’ ଆରମ୍ଭ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ