୫ଦଫା ଦାବି ନେଇ ଧାରଣା ଆରମ୍ଭ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ୫ଦଫା ଦାବି ନେଇ ଆଜି ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ବୈତରଣୀ ଆନିକଟ ନିକଟ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଧାରଣା ଆରମ୍ଭ ହୋଇଛି। ବିଶେଷ କରି ବୈତରଣୀ ନଦୀର କଣ୍ଟି ଏସକେପ ଦେଇ ନିଷ୍କାସିତ ହେଉଥିବା ବନ୍ୟା ଜଳ ଦ୍ୱାରା ଭଣ୍ଡାରିପୋଖରୀ ସମେତ ଚାନ୍ଦବାଲି, ଧାମନଗର ଓ ତିହିଡି ବ୍ଲକ ପ୍ରଭାବିତ ହେଉଛି। ଏହି ଏସ୍କେପଟି ମନୁଷ୍ୟକୃତ ହୋଇଥିବା ବେଳେ ଏହାର ସ୍ଥାୟୀ ମରାମତି ତଥା ଉଚ୍ଚତା ବୃଦ୍ଧି ପାଇଁ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଅନେକ ଦିନ ହେବ ଦାବି ଜଣାଇ ଆସିଛି। ଏହାଛଡା ନଦୀର ବାମ ପାର୍ଶ୍ୱ ବନ୍ଧକୁ ସଦୃଢ଼ୀକରଣ, ନଦୀବନ୍ଧ ଉଚ୍ଚତା ବୃଦ୍ଧି, ବନ୍ଧ ସୁରକ୍ଷା ପାଇଁ କଂକ୍ରିଟ ୱାଲ ନିର୍ମାଣ ଓ ଦକ୍ଷିଣ ପାର୍ଶ୍ୱ ଯାଜପୁର ଜିଲ୍ଲା ସଂଲଗ୍ନ ନଦୀଶଯ୍ୟାରେ ବେଆଇନ ନିର୍ମାଣକୁ ବନ୍ଦ କରିବା ପାଇଁ ସୁରକ୍ଷା କମିଟି ଦାବି ଜଣାଇଛି। ଉପରୋକ୍ତ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଯାଇଥିଲେ ସୁଦ୍ଧା ଏଯାବତ କେହି ଏଥିପ୍ରତି ଦୃଷ୍ଟି ଦେଇ ନାହାଁନ୍ତି। ପରିଶେଷରେ ଆଜି କମିଟି ପକ୍ଷରୁ ସମ୍ପାଦକ ଅକ୍ଷୟ ତ୍ରିପାଠୀଙ୍କ ନେତୃତ୍ୱରେ ସଭାପତି ସୁବୋଧ ସାମଲ, ଉପସଭାପତି ନାରାୟଣ ବେହେରା ଧାରଣାକୁ ଓହ୍ଲାଇଛନ୍ତି। ଏହାଛଡା ଜନସାଧାରଣଙ୍କ ବୃହତ୍ତ ସ୍ୱାର୍ଥ ଦୃଷ୍ଟିରୁ ଧାରଣାକୁ ନୈତିକ ସମର୍ଥନ ଜଣାଇ ଭଦ୍ରକ ଜିଲ୍ଲା କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ନାରାୟଣ ଚନ୍ଦ୍ର ଘଡାଇ, ବିଜୟ ସ୍ୱାଇଁ, ଅଲେଖ ବିନ୍ଧାଣି, ଯୁବନେତା ବିଜୟ ଶଙ୍କର ମହାନ୍ତି, ଲଳିତ ବେହୁରିଆ, ପ୍ରଦୀପ ରାଉତ, କହ୍ନେଇ ପହି, ବିଜୟ ଭାସ୍କର ସାମଲ, ସନ୍ତୋଷ ସାମଲ, ନିହାର ରାଉତ, ବସନ୍ତ ତ୍ରିପାଠୀ, ଧନେଶ୍ୱର ବେହୁରିଆ ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି। ଏହାଛଡା କଣ୍ଟି ଏସ୍କେପ ଦ୍ୱାରା ପ୍ରଭାବିତ ହେଉଥିବା ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ ପଞ୍ଚାୟତ ଅଞ୍ଚଳର ଜନସାଧାରଣ ଓ ଚାଷୀ ମାନେ ସାମିଲ ହୋଇଛନ୍ତି। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଚାଲିବ ବୋଲି ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ