୫ମ ଆନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଅଗମ୍ୟ ଆଦିବାସୀପଲ୍ଲୀରୁ ଶୁଭାରମ୍ଭ ହୋଇଯାଇଛି ୫ମ ଆନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା । ଭୁବନେଶ୍ୱରସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିଶୁ ଚିତ୍ରକଳା ପ୍ରତିଯୋଗିତା ସ୍ମାର୍ଟନଗରୀ ଭୁବନେଶ୍ୱର ଉପକଣ୍ଠ ନିକଟରେ ଥିବା ଅଗମ୍ୟ ଆଦିବାସୀପଲ୍ଲୀ କନ୍ଦଳେଇଠାରେ ଏହାର ଶୁଭ ଉଦ୍ଘାଟନ ହୋଇଯାଇଛି । ପ୍ରତିଯୋଗିତାରେ ମୋଟ ୩୫ଜଣ ବିଦ୍ୟାର୍ଥୀ ସାମିଲ୍ ହୋଇ ନିଜର ଅର୍ନ୍ତନିହିତ କଳାକୁ ରଙ୍ଗ ତୁଳୀରେ ପରିପ୍ରକାଶ କରିଥିଲେ । ଆଦିବାସୀ ଶିଶୁମାନଙ୍କ ମଧ୍ୟରେ ରହିଥିବା ସୃଜନଶୀଳ କଳାର ବିକାଶ ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାର ପ୍ରୟାସ ଏବଂ ବଣମଲ୍ଲୀ ବଣରେ ଫୁଟି ଯେପରି ବଣ ମଧ୍ୟରେ ଝଡ଼ିନପଡୁ ତାହା ଆମର ପ୍ରାଥମିକ ଲକ୍ଷ୍ୟ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ କହିଛନ୍ତି । ଗାଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତାରେ ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା ଏବଂ ପ୍ରଦୀପ୍ତ ରଞ୍ଜନ ରାଉତ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, କୃତୀ ପ୍ରତିଯୋଗୀଙ୍କ ଚିତ୍ରକଳା ୫ମ ଆନ୍ତର୍ଜାତୀୟ ଧଉଳି ଚାରୁକଳା ମହୋତ୍ସବରେ ସ୍ଥାନିତ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯିବ । ଆଗ୍ରହୀ ପ୍ରତିଯୋଗୀ ମାନେ ନିଜର କଳାକୃତିକୁ ଏପ୍ରିଲ୍ ୨୦ ତାରିଖ ସୁଦ୍ଧା ଧଉଳି ମହାବିଦ୍ୟାଳୟ ନିକଟରେ ଦାଖଲ କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।


