୫୯ ମୋବାଇଲ ଆପ୍ ଉପରେ ରୋକ ସମ୍ପର୍କିତ ପିଆଇବି ୱେବିନାର

ନୂଆଦିଲ୍ଲୀ : ନିକଟରେ ଭାରତ ସରକାର ଦେଶର ସୁରକ୍ଷା ଓ ସାର୍ବଭୈାମତା ପ୍ରତି ବିପଜ୍ଜନକ ୫୯ଟି ବିଦେଶୀ ମୋବାଇଲ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଆଜି ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ଭୁବନେଶ୍ୱର ତରଫରୁ ଏ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି ୱେବିନାରରେ ଅଧ୍ୟକ୍ଷତା କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ଶାଖାର ଅତରିକ୍ତ ମହାନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶୈଳେଶ କୁମାର ମାଲବ୍ୟ କହିଛନ୍ତି, ଏହି ୫୯ଟି ବିଦେଶୀ ମୋବାଇଲ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲାଗିବା ଫଳରେ ଘରୋଇ ଉଦ୍ୟୋଗୀ ଓ ବୈଷୟିକ ପ୍ରତିଷ୍ଠାନମାନଙ୍କୁ ସ୍ୱଦେଶୀ ଜ୍ଞାନକୌଶଳରେ ନୂତନ ମୋବାଇଲ ଆପ୍ଲିକେସନ ବିକଶିତ କରିବା ନିମନ୍ତେ ସୁଯୋଗ ମିଳିବ । ଦେଶର ଉଦ୍ୟୋଗୀମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଆପ ଇନୋଭେସନ ଚାଲେଞ୍ଜ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଏକ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ ବୋଲି ମାଲବ୍ୟ କହିଥିଲେ । ଏହି ୱେବିନାରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ଭାରତ ଓ ଚୀନ ଦ୍ୱିପାକ୍ଷିକ ସମ୍ପର୍କର ଇତିହାସ ଉପରେ ଆଲୋକପାତ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଭାରତ ଓ ଚୀନ କୂଟନୈତିକ ସମ୍ପର୍କର ଉଭୟ ଅର୍ଥନୈତିକ ଓ ସାମରିକ ଦିଗ ଉପରେ ସେ ତାଙ୍କ ବକ୍ତବ୍ୟ ରଖିଥିଲେ । ଆଲୋଚନାରେ ଭାଗ ନେଇ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଓ ତପନ ମିଶ୍ର ନିକଟରେ ଘଟିଥିବା ଲଦାଖର ଗଲୱାନ ଘାଟି ଓ ଅନ୍ୟାନ୍ୟ ସୁରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତରେ ଆଲୋଚନା କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଡ.ଦାଶରଥୀ ଭୂୟାଁ ଏହି ୫୯ ମୋବାଇଲ ଆପ୍ଲିକେସନ ଉପରେ ରୋକ ଲଗାଇବା ନିଷ୍ପତିର ଭାରତ-ଚୀନ ରାଜନୈତିକ ଓ କୂଟନୈତିକ ସମ୍ପର୍କ ଉପରେ ଥିବା ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଏହି ୱେବିନାରରେ ବୈଷୟିକ ବିଶେଷଜ୍ଞ ଭାବେ ଯୋଗଦେଇ ବିଶ୍ୱରଞ୍ଜନ ମିଶ୍ର ଓ ଅନିମେଶ ପଟ୍ଟନାୟକ ଡାଟା ଗୋପନୀୟତା, ସାଇବର କ୍ରାଇମ ଓ ଅନ୍ୟାନ୍ୟ ବୈଷୟିକ ଦିଗ ଉପରେ ଆଲୋଚନା କରିଥିଲେ । ଏହି ୱେବିନାରକୁ ପିଆଇବିର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ପରିଚାଳନା କରିଥିଲେ । ଏଥିରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ଗବେଷକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ