୯ରେ ପଞ୍ଚ ଦିବସୀୟ ବ୍ୟକ୍ତିତ୍ୱ ବିକାଶ ଶିବିରକୁ ଉଦଘାଟନ କରିବେ ଗଜପତି ମହାରାଜା ଦିବ୍ୟ ସିଂହଦେବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଶାଖା ଆନୁକୂଲ୍ୟରେ ଭାଗବତପୁର ଯାଗମଠସ୍ଥିତ କୈାଶଲ୍ୟା ପଡିଆରେ ଏକ ପାଞ୍ଚ ଦିବସୀୟ ବ୍ୟକ୍ତିତ୍ୱ ବିକାଶ ଶିବିରକୁ ଆସନ୍ତା ୯ତାରିଖ ଅପରାହ୍ନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉଦଘାଟନ କରିବେ ବୋଲି ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲିଘାଇ ପ୍ରଜ୍ଞାମିଶନର ଶ୍ରୀ ସ୍ୱାମୀ ସମର୍ପଣାନନ୍ଦ ଗିରି, ପରିବ୍ରାଜକ ସନ୍ଥ ଶ୍ରୀ ସ୍ୱାମୀ ଉମାନନ୍ଦ ସରସ୍ୱତୀ, ଚିନ୍ମୟ ମିଶନ,କଟକର ଶ୍ରୀ ସ୍ୱାମୀ ଓମକାରାନନ୍ଦ ସରସ୍ୱତୀ, ହରିଦ୍ୱାର ସାଧନାସଦନର ଶ୍ରୀ ସ୍ୱାମୀ ରାମେଶ୍ୱରାନନ୍ଦ ସରସ୍ୱତୀ, କଟକର ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ଓ ଦିବ୍ୟ ଜୀବନ ସଙ୍ଘ ସମନ୍ୱୟ ସମିତି ଦକ୍ଷିଣ ଓଡିଶାର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶିବିର ୯ତାରିଖ ଠାରୁ ୧୩ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ । ଏଥିରେ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ, ଋଷିକେଶ ଚିନ୍ମୟ ମିଶନ, ରାଞ୍ଚି, ହରିଦ୍ୱାର ପ୍ରଭୃତି ଆଧ୍ୟାତ୍ମିକ ଅନୁଷ୍ଠାନର ସାଧୁ, ସନ୍ଥ ଓ ଆଚାର୍ଯ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଅର୍ଶୀବଚନ ପ୍ରଦାନ କରିବେ । ଶିବିରରେ ୫ଶହରୁ ଉର୍ଦ୍ଧ୍ୱ (ବାଳକ, ବାଳିକା)ଯୋଗଦେଇ ଶାରୀରିକ ସୁଦ୍ଧତା, ମାନସିକ, ବିକାଶ ଓ ଆତ୍ମୋନ୍ନତି ଲାଭ କରିବା ସଙ୍ଗେ ସଙ୍ଗେ ସତ୍ୟବ୍ରତୀ, ସଦାଚାରୀ ଓ ପରୋପକାରୀ ନାଗରିକ ହୋଇ ସମାଜର ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହେବେ । ଶିବିରର ପ୍ରତ୍ୟେକ ସନ୍ଧ୍ୟା ଅଧିବେଶନରେ ଆଧ୍ୟାତ୍ମିକ ସମ୍ମିଳନୀ ଓ ଭଜନ କୀର୍ତ୍ତନ, ଶ୍ରୀଜଗନ୍ନାଥ କଥାମୃତ, ଶାନ୍ତି ପାଠ, ମାନବ ଜାତି ପାଇଁ ଶିବାନନ୍ଦଙ୍କ ଅବଦାନ ସମ୍ପର୍କରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏଭଳି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ଶ୍ରଦ୍ଧାଳୁ ଜନସାଧାରଣ ଯୋଗଦେବାକୁ ଦିବ୍ୟ ଜୀବନ ସଙ୍ଘ, କେନ୍ଦ୍ରାପଡା ଏବଂ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭାଗବତପୁର ଅଞ୍ଚଳର ଅବସରପ୍ରାପ୍ତ ପ୍ରଶାସକ ଅଶ୍ୱିନୀ କୁମାର ମିଶ୍ର ଓ ପ୍ରମୋଦ କୁମାର ସାହୁ, ସାମ୍ବାଦିକ ସଚ୍ଚିକାନ୍ତ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।


