ୱିଲିୟମସନ୍‌ଙ୍କ ଶତକ, ବଡ଼ ସ୍କୋର୍‌ ଦିଗରେ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ୨୦୨୧ ମସିହାର ପ୍ରଥମ ଅନ୍ତର୍ଜାତୀୟ ଶତକ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ନାମକୁ ଯାଇଛି। ୱିଲିୟମସନ୍‌ ଏବଂ ହେନରି ନିକୋଲ୍ସଙ୍କ ୨୧୫* ରନ୍‌ର ଭାଗୀଦାରି ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡକୁ ଦୃଢ଼ ସ୍ଥିତି ଦେଇଛି। ୱିଲିୟମ୍‌ସନ୍‌ (୧୧୨*)ଙ୍କ ଶତକ ଏବଂ ନିକୋଲ୍‌ସ (୮୯*)ଙ୍କ ଅର୍ଧଶତକ ବଳରେ ଘରୋଇ ଦଳ ଦ୍ବିତୀୟ ‌ଦିବସର ଷ୍ଟମ୍ପ୍ସ ଅପସାରଣ ବେଳକୁ ୩ ୱିକେଟ୍‌ ହରାଇ ୨୮୬ ରନ୍‌ କରିଛି। ହଗ୍‌ଲେ ଓଭାଲ୍‌ରେ ଚାଲିଥିବା ଏହି ଟେଷ୍ଟ୍‌ରେ ପାକିସ୍ତାନ ପ୍ରଥମ ପାଳି ୨୯୭ ରନ୍‌ କରିଥିବାରୁ ହାତରେ ୭ ୱିକେଟ୍‌ ଥାଇ ନ୍ୟୁଜିଲାଣ୍ଡ ୧୧ ରନ୍‌ରେ ପଛୁଆ ରହିଛି। ସୋମବାର ସକାଳୁ ନ୍ୟୁଜିଲାଣ୍ଡ ୭୧ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଟମ୍‌ ଲଥାମ (୩୩) ଓ ଟମ୍‌ ବ୍ଲଣ୍ଡେଲ (୧୬) ପ୍ରଥମ ୱିକେଟ୍‌ରେ ୫୨ ରନ୍‌ ଯୋଡ଼ିଥିଲେ। ବ୍ଲଣ୍ଡେଲଙ୍କୁ ଫହୀମ ଆସ୍ରଫ ଏଲ୍‌ବିଡବ୍ଲୁ କରି ପାକିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ। ପର ଓଭରରେ ଲଥାମଙ୍କୁ ହାରିସ ସୋହେଲଙ୍କ ହାତରେ କ୍ୟାଚ୍‌ କରାଇ ସାହୀନ ଶାହ ଆଫ୍ରିଦି ପାକିସ୍ତାନକୁ ଦ୍ବିତୀୟ ଭେଟି ଦେଇଥିଲେ। ନ୍ୟୁଜିଲାଣ୍ଡର ସ୍କୋର୍‌ ୫୨/୨ ହୋଇଥିଲା। ଦଳୀୟ ସ୍କୋର୍‌ ୭୨ ଥିଲା ବେଳେ ରସ୍‌ ‌ଟେଲର (୧୨)ଙ୍କୁ ମହମ୍ମଦ ଆବାସ ଆଉଟ୍‌ କରିଦେଇଥିଲେ। ଏହା ‌ପରେ ବିଶ୍ବ ଟେଷ୍ଟ୍‌ ବ୍ୟାଟ୍ସମ୍ୟାନ୍‌ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଥିବା ୱିଲିୟମସନ୍‌ଙ୍କ ଚମତ୍କାର ଶତକ ଅର୍ଜନ କରିବା ସହ ନିକୋଲସଙ୍କୁ ସାଥୀ କରି ଦଳକୁ ବିପର୍ଯ୍ୟୟରୁ ଉଧାର କରିଥିଲେ। ୱିଲିୟମସନ୍‌ଙ୍କ ଏହା ୨୪ତମ ଶତକ ହୋଇଥିଲା। ଏହି ମ୍ୟାଚ୍‌ରେ ୱିଲିୟମସନ୍‌ ୮୨, ୧୦୭ ରନ୍‌ରେ ଦୁଇଥର ଏବଂ ନିକୋଲସ ୮୬ ରନ୍‌ରେ ‌ଥରେ ଜୀବନଦାନ ପାଇଥିଲେ। ପାକିସ୍ତାନ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ