ବାଲିଯାତ୍ରା ପଡ଼ିଆରେ ଆଇନ ସହାୟତା କେନ୍ଦ୍ର ଉଦଘାଟିତ
କଟକ, (ଓ୍ବାଇଏନଏସ): ବାଲିଯାତ୍ରା ମହୋତ୍ସବକୁ ଆସୁଥିବା ଜନସାଧାରଣଙ୍କୁ ଆଇନ ସମ୍ବନ୍ଧୀୟ ସହାୟତା ଓ ପରାମର୍ଶ ପ୍ରଦାନ ଉଦ୍ଦେଶ୍ୟରେ କଟକ ବାଲିଯାତ୍ରା ପଡ଼ିଆରେ ଏକ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଛି। କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କେନ୍ଦ୍ରକୁ କଟକ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ମାନସ ରଞ୍ଜନ ବାରିକ ଉଦ୍ଘାଟନ କରିଥିଲେ। ଏହି ଅବସରରେ କଟକ ଜିଲ୍ଲା କୋର୍ଟର ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଲୟର ଏବଂ ପାରା ଲିଗାଲ୍ ଭଲ୍ୟୁଣ୍ଟିୟରମାନେ ଉପସ୍ଥିତ ଥିଲେ।ବାଲିଯାତ୍ରାକୁ ଆସୁଥିବା ଜନସାଧାରଣ ଏହି କେନ୍ଦ୍ର ମାଧ୍ୟମରେ ଆଇନ ସମ୍ବନ୍ଧୀୟ ସହାୟତା ଓ ପରାମର୍ଶ ପାଇପାରିବେ। କାର୍ଯ୍ୟକ୍ରମକୁ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଜଗଦୀଶ ଚନ୍ଦ୍ର ଜେନା ପରିଚାଳନା କରିଥିଲେ। ଜନସାଧାରଣଙ୍କ ମଧ୍ୟରେ ଆଇନ ସଚେତନତା ବୃଦ୍ଧି ସହ ଆବଶ୍ୟକ ସମୟରେ ଆଇନଗତ ସହାୟତା ଉପଲବ୍ଧ କରାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।


