ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା : ଜଣେ ଅଭିଯୁକ୍ତ ଗିରଫ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ବାଙ୍କନିଧି ଗୌଡ଼ ଙ୍କୁ  ଫାସିଗୁଡ଼ା ଗ୍ରାମର ଶଙ୍କର ନାୟକ ଏବଂ ତାଙ୍କ ୨ ସହଯୋଗୀ ପୂର୍ବ ଯୋଜନା ପ୍ରକାରେ ସଂଘବଦ୍ଧ ଭାବେ  ତେଣ୍ଟୁଆପଡ଼ା ଗ୍ରାମ ନିକଟ ଏକ କୁକୁଡ଼ା ଫାର୍ମ ନିକଟରେ ହତ୍ୟା ଉଦ୍ୟମ କରିଥିଲେ। ଏନେଇ ବାଙ୍କନିଧି ବୁଧବାର କେ. ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେବାପରେ ଆଇଆଇସି ବିଶ୍ୱଜିତ ନାୟକ ମାମଲା ନଂ.୩୭୨/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ ପ୍ରତାପ କୁମାର ସ୍ୱାଇଁ ଅଭିଯୁକ୍ତ ଶଙ୍କର ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲେ।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।ଗତ ମଙ୍ଗଳବାର ଅପରାହ୍ନରେ ବାଙ୍କନିଧି ଓ ତାଙ୍କ ସମ୍ପର୍କୀୟ ବସନ୍ତ ନାୟକ ସାଇକେଲ ଯୋଗେ ଶଙ୍କରଖାଳି ଗାଁ ଛକକୁ ଯାଇ ସେଠାରୁ କିଛି ଜଳଖିଆ ନେଇ ଗାଁ କୁ ଫେରୁଥିଲେ। କୁକୁଡ଼ା ଫାର୍ମ ନିକଟ ରାସ୍ତା କଡ଼ରେ ଠିଆ ହୋଇ ଉଭୟେ ଜଳଖିଆ ଖାଉଥିବା ବେଳେ ଏକ ନାଲି ରଙ୍ଗର ବାଇକ ରେ ଶଙ୍କର ଏବଂ ତାଙ୍କ ୨ ସହଯୋଗୀ ସେଠାରେ ପହଞ୍ଚି  ବାଙ୍କନିଧି ଙ୍କୁ ଆପତ୍ତିଜନକ ଭାଷା ରେ ଗାଳି କରିବା ସହ ଅତର୍କିତ ଆକ୍ରମଣ କରିଥିଲେ।ଶଙ୍କର ଏକ କାତି ରେ ବାଙ୍କନିଧି ଙ୍କ ମୁଣ୍ଡକୁ ଚୋଟ ପକାଇବା ପାଇଁ ଉଦ୍ୟମ କରିବା ବେଳେ ସେ ଜୀବନ ବିକଳରେ ତାଙ୍କ ସାଇକେଲ ଓ ଚପଲ ଛାଡ଼ି ଗାଁ ଅଭିମୁଖେ ଦୌଡିବାରୁ ଶଙ୍କର ତାଙ୍କୁ ଲକ୍ଷ୍ୟକରି କାତି ଫୋପାଡ଼ି ଥିଲେ କିନ୍ତୁ କାତି ତାଙ୍କୁ ବାଜିନଥିଲା।ଘଟଣାସ୍ଥଳରେ ଉପସ୍ଥିତ ଶଙ୍କର ଙ୍କ ଜଣେ ସହଯୋଗୀ ଏକ ଛୁରି ବାହାର କରି ଧମକାଇବାରୁ ବସନ୍ତ ସେଠାରୁ ପଳାଇଥିଲେ।ଗତ ପ୍ରାୟ ୪ ବର୍ଷ ପୂର୍ବେ ବାଙ୍କନିଧି ଙ୍କ ଯୋଗୁଁ ଶଙ୍କର ଙ୍କ ଭଉଣୀ ଘରେ ଆତ୍ମହତ୍ୟା କରିଥିଲେ।ଏହି ଘଟଣାରେ ଶଙ୍କର ଙ୍କ ପରିବାର ଲୋକେ ଜେଲ ଯିବାକୁ ପଡ଼ିଥିଲା।ଏହାକୁ ରାଗ ରଖି ଶଙ୍କର ବାଙ୍କନିଧି ଙ୍କୁ ହତ୍ୟା କରିବା ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବୋଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି।ଅନ୍ୟ ୨ ଅଭିଯୁକ୍ତ ଙ୍କୁ ଚିହ୍ନଟ କରାଯାଇଛି।ଉଭୟଙ୍କୁ ଗିରଫ ପାଇଁ ସେମାନଙ୍କ ଘରେ ପୋଲିସ ଚଢାଉ କରିଥିଲେ ମଧ୍ୟ ସେ ଦୁହେଁ ଫେରାର ଥିବା ପୁଲିସ କହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ