କଟକ ଜିଲ୍ଲାରେ ଆଉ ଦିନେ ବଢ଼ିଲା ଛୁଟି : ୨୧ ଯାଏଁ ବନ୍ଦ ରହିବ ଧବଳେଶ୍ୱର ପୀଠ ଓ ସମସ୍ତ ଶିକ୍ଷାନୁଷ୍ଠାନ

କଟକ (ଓ୍ବାଇଏନଏସ): ବାତ୍ୟା ‘ଅକଭାନ୍’କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ନଭେମ୍ବର ୨୦ ତାରିଖ ପାଇଁ ଘୋଷଣା ହୋଇଥିବା ଛୁଟିକୁ ଏବେ ୨୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଫଳରେ ୨୦ ଓ ୨୧ ନଭେମ୍ବର ଦୁଇଦିନ ଧରି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଆଇଟିଆଇ, ପଲିଟେକ୍ନିକ୍ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ସେହିପରି ଧବଳେଶ୍ୱର ପୀଠ ସମେତ ପଞ୍ଚକ ପାଳନ ହେଉଥିବା ନଦୀକୂଳ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଦର୍ଶନ ଉପରେ ମଧ୍ୟ ୨୧ ତାରିଖ ଯାଏଁ କଟକଣା ବଳବତ୍ତର ରହିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କଟକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ଏବଂ ଝଡ଼ପବନର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ତତ୍ତ୍ୱାବଧାନରେ ପ୍ରଶାସନର ବିଭିନ୍ନ ବିଭାଗର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ନଦୀଘାଟକୁ ଯିବା, ନଦୀରେ ସ୍ନାନ କରିବା, ପବିତ୍ର ବୁଡ଼ ପକାଇବା ଏବଂ ଘରୋଇ ଓ ବାଣିଜ୍ୟିକ ଡଙ୍ଗା ଚଳାଚଳ ଉପରେ ମଧ୍ୟ ୨୧ ତାରିଖ ଯାଏଁ ସମ୍ପୂର୍ଣ୍ଣ କଟକଣା ରହିବ। ମନ୍ଦିରଗୁଡ଼ିକରେ କେବଳ ଅଧିକୃତ ସେବାୟତ ଓ ପୂଜକଙ୍କ ଦ୍ୱାରା ନୀତିକାନ୍ତି ସମ୍ପନ୍ନ ହେବ। ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ପାଇଁ ବ୍ଲକସ୍ତରରେ ନୋଡାଲ ଅଫିସର ନିୟୋଜିତ କରାଯାଇଛି। ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଓ ଜରୁରୀ ସୁବିଧା ଯୋଗାଇବା ପାଇଁ ପ୍ରସ୍ତୁତି ହୋଇଛି। ସାପୁଆ ନଦୀବନ୍ଧର ଯାଞ୍ଚ ସହ ଅସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜାରି ରହିଛି। ଜରୁରୀ ସେବାରେ ନିୟୋଜିତ କର୍ମଚାରୀ, ପୁଲିସ, ଅଗ୍ନିଶମ ଓ ବିପର୍ଯ୍ୟୟ ମୁକାବିଲା ଦଳଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ବାତ୍ୟା ସମୟରେ ଘରୁ ଅଯଥାରେ ନ ବାହାରିବା ଏବଂ ନଦୀଘାଟ ଓ ଜଳାଶୟଠାରୁ ଦୂରେଇ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ