ସ୍କାଉଟ ଗାଇଡ୍‌ର ପ୍ରତୀକ୍ଷା-୨ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ପ୍ରତୀକ୍ଷା-୨ ଶିବିର ଆଜି ଉଦ୍‌ଘାଟିତ ହୋଇଯାଇଛି । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ୍‌ସର ଉପସଭାପତି ତଥା ସମାଜର ମୁଦ୍ରାକାର ଓ ପ୍ରକାଶକ ଶ୍ରୀଯୁକ୍ତ ନିରଞ୍ଜନ ରଥ ଅପରାହ୍ନ ୪.୩୦ ଘଟିକା ସମୟରେ ପହଞ୍ଚିବା ପରେ ସ୍କାଉଟ ଗାଇଡ୍‌ର ପାରମ୍ପାରିକ କଲର ପାର୍ଟି ଦ୍ୱାରା ସ୍କାଉଟ ଗାଇଡ୍‌ମାନେ ମୁଖ୍ୟ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ସଭା ମଞ୍ଚରେ ଉପସ୍ଥିତ ଅନ୍ୟ ଅତିଥିମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସମ୍ପାଦକ, ଶିକ୍ଷା ବିକାଶ ସମିତି ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଟକ ଶ୍ରୀମତୀ ସୋନାମିକା ରାୟ, ରାଜ୍ୟ ମୁଖ୍ୟକମିଶନର ତଥା ଜାତୀୟ ଉପସଭାପତି ଶ୍ରୀ କାଳିପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ରଥ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ୧୫ ଟି ଜିଲ୍ଲାରୁ ୪୫୦ ରୁ ଊର୍ଦ୍ଧ୍ୱ ସମବେତ ହୋଇଥିବା ସ୍କାଉଟ ଗାଇଡ୍‌ମାନଙ୍କ ଦ୍ୱାରା ମୁଖ୍ୟଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଶିବିରର ଉଦ୍ଦେଶ୍ୟ ତଥା ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ରାଜ୍ୟ ସଂଗଠନ କମିଶନର (ଗାଇଡ୍‌) ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଅବଗତ କରାଇଥିଲେ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଶିବିର ମଧ୍ୟରେ ସ୍ନେହ ପ୍ରେମ ଏବଂ ସଦ୍‌ଭାବନା ଜାଗ୍ରତ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରଥ ସ୍କାଉଟ ଗାଇଡ୍ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ପ୍ରତୀକ୍ଷା ଶିବିର ଆୟୋଜନର ଉଚ୍ଚ ପ୍ରଶଂସା କରିବା ସହିତ ଏହା ଆଗାମୀ ଯୁବପୀଢ଼ିମାନଙ୍କୁ ପ୍ରେରଣା ଦେବା ସହିତ ସଂପର୍କ ସ୍ଥାପନ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଶା ପୋଷଣ କରିଥିଲେ । ପରିଶେଷରେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସାଂଧ୍ୟ ଅଧିବେଶନରେ ସ୍କାଉଟ ଗାଇଡ୍ ମାନଙ୍କ ମଧ୍ୟରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ