ନାଉଗାଁ ତହସିଲ କାର୍ଯ୍ୟାଳୟରେ ପାନୀୟ ଜଳର ସମସ୍ୟା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ସକାଳ ୯ଟା ସମୟରେ ଘରୁ ବାହାରିବା କଷ୍ଟ ସାଧ୍ୟ ହୋଇପଡୁଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳର ସମସ୍ୟା ଯେପରି ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି । ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏହି କାର୍ଯ୍ୟାଳୟ ବାହାରେ ପାରାଦୀପ ପୋର୍ଟ ସହାୟତାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ବ୍ୟବସ୍ଥା କରାଯାଇଥିବା ବେଳେ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟାଳୟ ମଧ୍ୟରେ ଏକ ଆକ୍ୱାଗାର୍ଡ ଲଗାଯାଇଥିଲା । ତହସିଲ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ହୋଇଥିବା ବେଳେ ଜମିଜମା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟ ପାଇଁ ବ୍ଳକର ୧୬ଟି ପଂଚାୟତର ଜନସାଧାରଣ ଏହି କାର୍ଯ୍ୟାଳୟକୁ ଆସିଥାନ୍ତି । ଜନସାଧାରଣ ସୁବିଧାରେ ପାନୀୟ ଜଳ ପାଇବା ଉଦ୍ଦେଶ୍ୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ସତ୍ୱେ ଉକ୍ତ ୨ଟି ଯାକ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ଦିନ ହେବ ଅଚଳ ହୋଇ ପଡିରହିଛି । ନାଉଗାଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରଶ୍ମିରଂଜନ ଦାସଙ୍କ କହିବା ମୁତାବକ ଉକ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣା ଦାୟିତ୍ୱ ତହସିଲ କାର୍ଯ୍ୟାଳୟର । କିନ୍ତୁ କାର୍ଯ୍ୟାଳୟ ପକ୍ଷରୁ ସଠିକ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଜନସାଧାରଣମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ କାର୍ଯ୍ୟ ପାଇଁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଘଂଟା ଘଂଟା ଧରି କାର୍ଯ୍ୟ ପାଇଁ ଅପେକ୍ଷା କରୁଥିବା ବେଳେ ଖରାରେ ପାନୀୟ ଜଳ ଟୋପେ ପାଇ ପାରୁନାହାନ୍ତି । ଏପରିକି ଆକ୍ୱାଗାର୍ଡଟି ଖରାପ ହୋଇଥିବା ହେତୁ କାର୍ଯ୍ୟାଳୟ କର୍ମଚାରୀମାନେ ପାନୀୟ ଜଳ ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ତେଣୁ ଉକ୍ତ ୨ଟି ପାନୀୟ ଜଳ ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ତହସିଲଦାର ଶୁଭାଶିଷ ପରିଡାଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ