ଏବେଭି ନିର୍ଭର କରୁଛନ୍ତି ଚୁଆ ପାଣିରେ ୩୦ ପରିବାର
ନବରଙ୍ଗପୁର,(ୱାଏନଏସ):ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବ୍ଲକରେ ଆଜିଭି ଅନେକ ଗ୍ରାମବାସୀ ଦୟନୀୟ ଜୀବନ ଜିଉଁଛନ୍ତି।ପିଇବା ପାଇଁ ବିଶୁଦ୍ଧ ପାଣି ମିଳୁନି ।ଗମନାଗମନ ପାଇଁ ଭଲ ରାସ୍ତା ଟିଏ ନାହିଁ । ଜରୁରୀ କାଳୀନ ପରିସ୍ଥିତିରେ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡୁଛି । ଉଦାହରଣ ଭାବେ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର ବନ ପାହାଡ ଜଙ୍ଗଲ ଘେରା ମଧ୍ୟରେ ଥିବା ସର୍ଗିପାନି ଗାଁକୁ ନିଆ ଯାଇପାରେ । ଗାଁରେ ରହୁଛନ୍ତି ଆଦିବାସୀ ସମ୍ପ୍ରଦାୟର ୩୦ ପରିବାରର ୧୫୦ରୁ ଅଧିକ ଲୋକ ଚୁଆ ପାଣି ବ୍ୟବହାର କରୁଛନ୍ତି ।ଗ୍ରାମବାସୀ କହିବା ଅନୁଯାୟୀ ବ୍ଲକ କାର୍ଯ୍ୟାଳୟରୁ ପ୍ରାୟ ୨୦ କିମି ଦୂରରେ ରହିଛି ପଞ୍ଚାୟତ ।ପଞ୍ଚାୟତ ରୁ ସର୍ଗୀପାନି ଗାଁ ପ୍ରାୟ ୭ କିମି ଦୁର । ଗାଁରେ ବିଶେଷ କରି ପାନୀୟ ଜଳ ଓ ରାସ୍ତାଘାଟ ସଙ୍ଗୀନ ହୋଇ ପଡ଼ିଛି । ଗାଁକୁ ଯିବାକୁ ହେଲେ ଭଲ ରାସ୍ତା ନ ଥିବାରୁ ଜଙ୍ଗଲ ମଧ୍ୟରେ ଥିବା ଆବୁଡା ଖାବୁଡା ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ଯାତାୟାତ କରିଥାନ୍ତି।ପାଣି ପାଇଁ ମଧ୍ୟ ବହୁତ ଦିନ ତଳେ ଗାଁରେ ୨ଟି ନଳକୂପ ଖୋଲାଯାଇଥିଲା।୩ ବର୍ଷରୁ ଉର୍ଦ୍ଧ ହେବ ଉଭୟ ନଳକୂପ ଅଚଳ ହୋଇପଡ଼ି ଥିବାରୁ ମହିଳା ମାନେ ପ୍ରାୟ ୧କିମି ଦୂର ଚୁଆ ଉପରେ ନିର୍ଭର କରୁଛନ୍ତି ।ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ଏ ଭଳି ସ୍ଥିତିରେ ଚୁଆ ପାଣି ବ୍ୟବହାର କରୁଥିବାରୁ ଭୟ ଲାଗୁଛି ।ଗାଁରେ ସୋଲାର ପାଣି ପାଇଁ ବୋର ଖୋଲାଯାଇଲେ ମଧ୍ୟ ସେମିତି ହିଁ ରହି ପଡ଼ିଛି । ଗାଁର ଗୋଟିଏ ନଳକୂପ ବ୍ୟକ୍ତିଗତ ଭାବେ ୩ ଲୋକ ମୋଟର ଲଗେଇ ନିଜ ପାଇଁ ପାଣି ବ୍ୟବହାର କରୁଛନ୍ତି । ଗାଁ ର ୩୦ ପରିବାରକୁ ଚୁଆ ପାଣି ହିଁ ମିଣ୍ଟାଉଛି ଶୋଷ ।ସ୍ଥାୟୀ ରାସ୍ତା ଓ ପାନୀୟ ଜଳ ପାଇଁ ସରପଞ୍ଚ ଠାରୁ ନେତା ମନ୍ତ୍ରୀ ମାନଙ୍କୁ ବାରମ୍ବାର ଗୁହାରି ଜଣାଇଥିଲେ ବି ସୁଫଳ ମିଳିପାରି ନାହିଁ ।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।ଏ ନେଇ ଝରିଗାଁ ବିଡ଼ିଓ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ । ତେଣୁ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ଆମେ ଗାଁକୁ ଯାଇଥିଲୁ ଦେଖି ଆସିଛୁ । ନଳକୂପର ମରାମତି ଚାଲିଛି ଖୁବ ଜଲଦି ପାଣି ଯୋଗେଇ ଦେବୁ ବୋଲି କହିଛନ୍ତି ।