ଜେଲ୍ରେ ଥାଇ ଟିକଟ ବାଣ୍ଟୁଛନ୍ତି ଲାଲୁ ଇସିଙ୍କ ଦ୍ୱାରସ୍ଥ ହେଲା ଜେଡିୟୁ
ପାଟଣା(ଏଜେନ୍ସି): ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ଯାଦବ ସମ୍ପ୍ରତି ଜେଲ୍ଦଣ୍ଡ ଭୋଗୁଛନ୍ତି । ତେବେ ଜେଲରେ ରହି ମଧ୍ୟ ସେ ଚଳିତ ଲୋକସଭା ନିର୍ବାଚନ ପାଇଁ ବେଶ୍ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ଏତଦ୍ବ୍ୟତୀତ ଦଳ କାହାକୁ ପ୍ରାର୍ଥୀ କରିବ କାହାକୁ ଟିକଟ ଦେବ ସେସମ୍ପର୍କରେ ଲାଲୁ ଜେଲ୍ରେ ରହି ନିଷ୍ପତ୍ତି ନେଉଥିବା ନିକଟରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ନେଇ ଶାସକ ଦଳ ଜନତା ଦଳ ୟୁନାଇଟେଡ଼ (ଜେଡିୟୁ) ଆପତ୍ତି ଉଠାଇବା ସହ ନିର୍ବାଚନ ଆୟୋଗ (ଇସି)ଙ୍କ ଦ୍ୱାରସ୍ଥ ହୋଇଛି ।
ଦଳୀୟ ପ୍ରାର୍ଥୀଙ୍କୁ ଲାଲୁ ଜେଲ୍ରେ ଥାଇ ଟିକଟ ବାଣ୍ଟୁଥିବା ଜେଡିୟୁ ଅଭିଯୋଗ କରିଛି । ଆରଜେଡିର ସମସ୍ତ ପ୍ରାର୍ଥୀଙ୍କ ମନୋନୟନ ପତ୍ର ଖାରଜ ପାଇଁ ଜେଡିୟୁ ଇସିଙ୍କ ପାଖରେ ଦାବି କରିଛି । ଜେଡିୟୁ ମୁଖପାତ୍ର ନୀରଜ କୁମାର ଇସିଙ୍କୁ ପତ୍ର ଲେଖି ଏନେଇ ଅଭିଯୋଗ କରିଛନ୍ତି । ପ୍ରମାଣସ୍ୱରୁପ ଲାଲୁଙ୍କ ଦସ୍ତଖତ ସମ୍ବଳିତ ଆରଜେଡିର ଏକ ପ୍ରାର୍ଥୀ ତାଲିକାର ଏକ ନକଲକୁ ସେ ଇସିଙ୍କ ପାଖରେ ଦାଖଲ କରିଛନ୍ତି । ଏପରି କରିବା ପାଇଁ ଲାଲୁ କ’ଣ ଅଦାଲତଙ୍କ ଅନୁମତି ନେଇଛନ୍ତି କି ବୋଲି ଜେଡିୟୁ ଇସିଙ୍କୁ ପ୍ରଶ୍ନ କରିଛି । ଜେଡିୟୁ ଆହୁରି ମଧ୍ୟ ଅଭିଯୋଗ କରି କହିଛି ଯେ, ଲାଲୁ କୌଣସି ଜନ ଆନ୍ଦୋଳନର ନେତା ନୁହନ୍ତି, ସେ ଭାରତୀୟ ଦଣ୍ଡ ବିଧି ଆଇନ ଅନୁଯାୟୀ ଗୋ ଖାଦ୍ୟ ଦୁର୍ନୀତିରେ ଜେଲଦଣ୍ଡ ଭୋଗୁଛନ୍ତି । ତେଣୁ ସେ କିପରି ନିଜ ସମ୍ପର୍କୀୟଙ୍କ ବ୍ୟତୀତ ଦଳୀୟ ଲୋକଙ୍କୁ ସାକ୍ଷାତ କଲେ? ଜେଲ ମାନୁଆଲ ଅନୁଯାୟୀ ଜେଲଦଣ୍ଡ ଭୋଗୁଥିବା ଅପରାଧୀ ସାକ୍ଷାତ ସମୟରେ ରାଜନୀତି ସମ୍ପର୍କିତ କଥାବାର୍ତ୍ତା କରି ପାରିବେ ନାହିଁ ବୋଲି ନିୟମ ରହିଥିବା ସତ୍ତେ୍ୱ ଲାଲୁ କିଭଳି ଟିକଟ ବଣ୍ଟା କାର୍ଯ୍ୟ କରୁଛନ୍ତି ବୋଲି ଜେଡିୟୁ ପ୍ରଶ୍ନ କରିଛି ।