ଜମି ବାଡିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଥାନାରେ ଏତଲା

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଉଚ୍ଚବାଲୀ ଗ୍ରାମରେ ଜମିବାଡିକୁ କେନ୍ଦ୍ର କରି ଏକ ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଉଚ୍ଚବାଲୀ ଗ୍ରାମର ଦୟାନିଧି ନାଏକଙ୍କ ଉଚ୍ଚବାଲୀ ମୌଜା ଖାତା ନଂ ୩୯, ଖସଡା ନଂ ୭୭୨ ପ୍ଲଟରେ ଜମି ରହିଅଛି । ଉକ୍ତ ଜମିରେ ଅତ୍ୟଧିକ ଯାନବାହାନ ଚଳପ୍ରଚଳ କରୁଥିବା ଯୋଗୁ ଜମିର ଅବସ୍ଥା ନିମ୍ନମାନର ହେବା ଅଭିଯୋଗ କରି ଜମିମାଲିକ ଦୟାନିଧି ନାଏକଙ୍କ ପତ୍ନୀ ଲତା ନାଏକ ଓ ସପରିବାର ଉକ୍ତ ରାସ୍ତାକୁ ସୋମବାର ଖୋଳି ଦେଇଥିଲେ । ଏହି ରାସ୍ତା ଦେଇ ସ୍ଥାନୀୟ ଖଣି କମ୍ପାନୀର ଯାନବାହାନ ଚଳାଚଳ ବନ୍ଦ ହେବା ସହିତ ସ୍ଥାନୀୟ ଲୋକଙ୍କର ଯାତାୟତରେ ମଧ୍ୟ ଅସୁବିଧା ହେବାରୁ ସ୍ଥାନୀୟ ଲୋକେ ଉକ୍ତ ରାସ୍ତାକୁ ସମତୁଲ କରିବାକୁ ଯିବା ବେଳେ ଜମିମାଲିକଙ୍କ ସହିତ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ପ୍ରତିମା ନାଏକ ପ୍ରଥମେ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାମେବାରୀ ପୋଲିସ ଅଭିଯୋଗକୁ ଆଧାର କରି କେଶ୍ ନଂ ୧୨/୨୦୨୦ ରୁଜୁ କରିଛି । ଅପର ପକ୍ଷରେ ଜମିମାଲିକଙ୍କ ପତ୍ନୀ ଲତା ନାଏକ ମଧ୍ୟ ବାମେବାରୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଏନେଇ କେଶ୍ ନଂ ୧୩/୨୦୨୦ ରୁଜୁ କରି ଅଭିଯୋଗର ସତ୍ୟାସତ୍ୟ ପାଇଁ ତଦନ୍ତ ଆରମ୍ଭ କରିଛି  । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦଫା ରୁଜୁ କରାଯିବ ବୋଲି ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ  କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ