ଜିଲା ବିଜେଡି ସମ୍ପାଦକ ପଦବୀରୁ ସେକ୍ ଜଲାଲଉଦ୍ଦିନଙ୍କ ଇସ୍ତଫା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସଂପାଦକ ତଥା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ପଦବୀରୁ ସେକ୍ ଜଲାଉଦ୍ଦୀନ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ନିଳୋକ ପଞ୍ଚାୟତ ବିଜେଡିର ପୂର୍ବତନ ସଭାପତି ପ୍ରଫୁଲ୍ଲ ପାତ୍ର ଏବଂ ସମାଜସେବୀ ମହେଶ୍ୱର ମାଝୀ ମଧ୍ୟ ଦଳର ପ୍ରାଥମିକ ସଭ୍ୟ ପଦବୀରୁ ଇସ୍ତଫା ଦେଇନ୍ତି । ଏନେଇ ସୋମବାର ବନ୍ତ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେକ୍ ଜଲାଲଉଦ୍ଦୀନ ଜଣାଇଛନ୍ତି । ରାଜ୍ୟ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଜଲାଲଉଦ୍ଦୀନ ଉଲ୍ଲେଖ କରିଛନ୍ତି ଯେ, ଦୀର୍ଘ ୪୫ ବର୍ଷ ଧରି ବିଜୁବାବୁଙ୍କ ନୀତି ଆଦର୍ଶରେ ସେ ଦଳରେ ରହି ଶୃଂଖଳିତ ଭାବେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ସ୍ଥାନୀୟ ମନ୍ତ୍ରୀ ଦଳର କୌଣସି କାର୍ଯ୍ୟ ନିଜେ ନବୁଝି ଜଣେ ସରକାରୀ କର୍ମଚାରୀଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଅଣଦେଖା କରାଯାଉଛି । ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ଗୁରୁତ୍ୱ ଦିଆ ନଯାଇ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଉଛି । ଫଳରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ଲୋକପ୍ରିୟତା ହ୍ରାସ ପାଇଛି । ସେହିପରି ଉକ୍ତ ନିର୍ବାଚନ ମଣ୍ଡଳୀରେ ଗତ ୧୦ ବର୍ଷ ମଧ୍ୟରେ ସାଧାରଣ ଲୋକମାନଙ୍କୁ ମୌଳିକ ସୁବିଧାରୁ ବଂଚିତ କରାଯାଇଛି । ବନ୍ତରେ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ, ସ୍ଥାୟୀ ଡାକ୍ତର ନିଯୁକ୍ତି, ଦମକଳ କେନ୍ଦ୍ର, ଟ୍ରେଜେରୀ ଅଫିସ, ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା ଦିଗରେ ସ୍ଥାନୀୟ ମନ୍ତ୍ରୀ ଗୁରୁତ୍ୱ ଦେଇନାହାନ୍ତି । ଏପରି ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସେ ଦଳରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ