କାଉନସେଲିଂ ସେମିନାର କଲେଜ ପରିସରରେ ଆୟୋଜିତ
ଛତ୍ରପୁର ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ) ର କ୍ୟାରିୟର କାଉନସେଲିଂ ସେଲ ପକ୍ଷରୁ ଓଡିଶା ନଲେଜ କର୍ପୋରେସନ (ଓକେସିଏଲ୍ ) ସହଯୋଗରେ ଏକ କ୍ୟାରିୟର କାଉନସେଲିଂ ସେମିନାର କଲେଜ ପରିସରରେ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକେସିଏଲ୍ ର ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ କେବଳ ସରକାରୀ ଚାକିରି ଉପରେ ଭରସା ନ କରି ନୂତନ ଟେକ୍ନୋଲୋଜିର ସଫଳ ବ୍ୟବହାର କରି କିଭଳି ଅନେକ ପ୍ରକାରର ରୋଜଗାର ଯୋଜନା କରିହେବ ସେ ନେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ପୂର୍ବରୁ ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତାଙ୍କୁ ଏହି ଅବସରରେ ମୂଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଓକେସିଏଲ୍ ର ଜିଲ୍ଲା ମୁଖ୍ୟ ଶ୍ରୀମତି ଏସ୍ ରେଖା ମହାନ୍ତି, ଶିକ୍ଷା ଏଡୁଲିଙ୍କସର ଅନ୍ୟତମ ନିର୍ଦ୍ଦେଶକ ଶ୍ରୀକାନ୍ତ ମହାନ୍ତି, ଓକେସିଏଲ୍ ର ଆଞ୍ଚଳିକ ପ୍ରବନ୍ଧକ ରାହୁଲ ମହାପାତ୍ର ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିଥିଲେ। କାର୍ଯକ୍ରମକୁ ଛାତ୍ରୀମାନେ ଅତ୍ୟନ୍ତ ଉନ୍ନତ ଓ ଉପାଦେୟ ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ଡଃ ପୁଥାଳ କଲେଜ ପାଠାଗାର ନିମନ୍ତେ ତିନିଗୋଟି ଉପାଦେୟ ପୁସ୍ତକ ପ୍ରଦାନ କରିଥିବାବେଳେ କଲେଜ ପକ୍ଷରୁ ଡଃ ପୁଥାଳଙ୍କୁ ପୁଷ୍ପଗୁଚ୍ଛ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ “ମହାବାହୁ” ପୁସ୍ତକ ପ୍ରଦାନ କରାଯାଇଥିଲା।


