ମହିଳାଙ୍କ ପାଇଁ ସବୁଠୁ ଭୟଙ୍କର ଦେଶ
ଅଷ୍ଟ୍ରେଲିଆର ଉତ୍ତରରେ ଥିବା ପାପୁଆ ନ୍ୟୁ ଗିନିକୁ ମହିଳାଙ୍କ ପାଇଁ ସବୁଠୁ ଭୟଙ୍କର ଦେଶ ଭାବେ ବିବେଚନା କରାଯାଏ। ଏଠାକାର ୭୦ ପ୍ରତିଶତ ମହିଳା ନିଜ ଜୀବନକାଳ ମଧ୍ୟରେ ଦୁଷ୍କର୍ମର ଶିକାର ହୋଇଥାନ୍ତି। ନଚେତ ଅନ୍ୟ କୌଣସି ପ୍ରକାର ଯୌନ ଉତ୍ପୀଡ଼ନର ଶିକାର ହୋଇଥାନ୍ତି। ପାପୁଆ ନ୍ୟୁ ଗିନିରେ ଯୌନ ଉତ୍ପୀଡ଼ନ, ଦୁଷ୍କର୍ମ ଏବଂ ଘରୋଇ ହିଂସା ପରିମାଣ ବିଶ୍ବର ଅନ୍ୟ ସମସ୍ତ ଦେଶ ତୁଳନାରେ ଅଧିକ। କିନ୍ତୁ ବିଡ଼ମ୍ବନାର ବିଷୟ ଏଠାରେ ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କେତେଜଣ ଦଣ୍ଡିତ ହୋଇଥାନ୍ତି। ଅଧିକ ସଂଖ୍ୟକ ଅପରାଧୀ ଖସିଯାଇଥାନ୍ତି।
ପାପୁଆ ନ୍ୟୁ ଗିନିରେ ସ୍ଥାନୀୟ ବଦ୍ମାସମାନଙ୍କୁ ରାସ୍କେଲ କୁହାଯାଏ। ଏହି ଧରଣର ବ୍ୟକ୍ତିମାନେ ବଳାତ୍କାର ଘଟଣାରେ ଅଧିକ ମାତ୍ରାରେ ଯୋଡ଼ି ହୋଇଥାନ୍ତି। ଗଣଦୁଷ୍କର୍ମ ଏହି ଦେଶର ଏକ ସାଧାରଣ ଓ ନିୟମିତ ଘଟଣା। ଏହାକୁ ନେଇ ଲୋକେ ଖୋଲାଖୋଲି ଚର୍ଚ୍ଚା କରିବାକୁ ବି ସଙ୍କୋଚ କି ଶଙ୍କା ଅନୁଭବ କରି ନ ଥାନ୍ତି। ପୋଲିସ କିମ୍ବା କ୍ୟାମେରା ପ୍ରତି ଏମାନଙ୍କର ଭୟ ନ ଥାଏ। ଏଠାର ମହିଳାମାନେ ସହଜରେ ଶିକାର ହୋଇଯାଆନ୍ତି। ସେମାନଙ୍କୁ ଲୁଟିବା ଅତି ସହଜ। ସଡ଼କ ଉପରେ ଯଦି କେହି ଜଣେ ମହିଳାଙ୍କୁ ପିଟନ୍ତି ତ ଏଥିରେ କେହି ପ୍ରତିବାଦ କରନ୍ତି ନାହିଁ। ଏହା ଏକ ସାଧାରଣ କଥା। ପୋର୍ଟ ମୋରେସ୍ବି ସହରରେ ଯଦି ଆପଣ କୌଣସି ଏକ ମହିଳାଙ୍କୁ ନିରିଖେଇ ଦେଖିବେ ତ ଜାଣିଯିବେ ସେମାନଙ୍କ ଉପରେ କେତେ ସବୁ ଯନ୍ତ୍ରଣା ହୋଇଛି।
ସହରରେ ମହିଳାଙ୍କ ବିରୋଧରେ ହିଂସାର ଏତେ ଘଟଣା ଘଟୁଛି ଯେ ଏଠାକାର ସରକାରଙ୍କୁ ସେଫ୍ ହାଉସ ନାମରେ ଘର ନିର୍ମାଣ କରିବାକୁ ପଡ଼ୁଛି। ପାପୁଆ ନ୍ୟୁ ଗିନିରେ ଫ୍ୟାମିଲି ପ୍ରୋଟେକ୍ସନ ଆକ୍ଟ ବିଗତ ୫ ବର୍ଷ ତଳେ ପ୍ରଣୟନ କରାଯାଇଛି। ଏହି ଆଇନ ଅନୁଯାୟୀ ଘରୋଇ ହିଂସା ଏକ ଅପରାଧ। ଯାହା ପ୍ରମାଣିତ ହେଲେ ଦୁଇବର୍ଷ ଜେଲ୍ ସାଙ୍ଗକୁ ଦୁଇ ହଜାର ଆମେରିକୀୟ ଡଲାର ଜରିମାନା ଦେବାକୁ ପଡ଼ିବ। ଏହି ଆଇନ ମହିଳାମାନଙ୍କୁ ନ୍ୟାୟ ଦେଇପାରି ନାହିଁ। ଅନେକ ମହିଳା ଘରୋଇ ହିଂସା ସହି ନ ପାରି ପଳାୟନ କରିଛନ୍ତି। ପାପୁଆ ନ୍ୟୁ ଗିନିର ସମାଜ ପୁରୁଷକୈନ୍ଦ୍ରିକ। ଏଠାରେ ଘରର ପ୍ରତ୍ୟେକ ନିଷ୍ପତ୍ତି ନେବାର ଅଧିକାର ପୁରୁଷଙ୍କ ହାତରେ ରହିଛି।


