ଜବରଦଖଲ ଉଚ୍ଛେଦ ଦାବୀରେ ଅନଶନ, ପ୍ରତିଶୃତି ପରେ ପ୍ରତ୍ୟାହୃତ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବୁଧବାର ବନ୍ତ ତହସିଲ ଅଧିନ ବରପଦା ଗ୍ରାମର ସରକାରୀ ବସ୍ତି ଯୋଗ୍ୟ ଜମିରୁ ଜବରଦଖଲ ଉଚ୍ଛେଦ ଦାବୀରେ ଗ୍ରାମବାସୀ ମାନେ ତହସିଲ ସମ୍ମୁଖରେ ଅନଶନରେ ବସିଥିବା ବେଳେ ପ୍ରଶାସନର ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହୃତ ହୋଇଯାଇଛି । ପ୍ରକାଶ ଯେ, ବରପଦା ରାଜସ୍ୱ ଗ୍ରାମର ଖାତା ନଂ-୧୬୫, ପ୍ଲଟ ନଂ-୨୫୩, ରକବା- ଏ୨.୪୩ କିସମ ବସ୍ତିଯୋଗ୍ୟ, ପ୍ଲଟ ନଂ-୨୪୭, ରକବା-ଏ୦.୨୨ କିସମ ପତିତ ହୋଇଥିବା ବେଳେ ଏହା ମହିଳା ସମିତି ପାଇଁ ସଂରକ୍ଷିତ ରହିଛି । ସେହିପରି ପ୍ଲଟ ନଂ-୨୪୭, ରକବା-ଏ୦.୨୫ କିସମ ପତିତ ଯୁବକ ସଂଘ ପାଇଁ ସଂରକ୍ଷିତ ରହିଛି । ଏସମସ୍ତ ସରକାରୀ ଜମିକୁ ଗ୍ରାମର କେତେକ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରିଛନ୍ତି । ଫଳରେ ଗ୍ରାମର ଅଙ୍ଗନୱାଡି ଗୃହ ନିର୍ମାଣ ହୋଇପାରୁନଥିବାରୁ ପିଲା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଉକ୍ତ ସରକାରୀ ଜମି ଉପରେ ଗ୍ରାମର କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରୁନାହିଁ । ସେହିଭଳି ଉକ୍ତ ଗ୍ରାମରେ କେତେକ ଅନୁସୂଚିତ ଜନଜାତି ପରିବାର ବସବାସ କରୁଥିବା ବେଳେ ସେମାନଙ୍କୁ ଘରଡିହ ପଟ୍ଟା ମିଳିଛି । ମାତ୍ର ତହସିଲ ପକ୍ଷରୁ ସେମାନଙ୍କୁ ଚିହ୍ନଟ ଦିଆଯାଇଥିଲେ ମଧ୍ୟ ସେମାନେ ଉକ୍ତ ଜାଗାକୁ ଦଖଲ କରିପାରୁନାହାନ୍ତି । ଏହି ଚିହ୍ନଟ ପ୍ରକ୍ରିୟା ବେଳେ ମାପଚୁପରେ ତୃଟି ଥିବା ଯୋଗୁଁ ଚିହ୍ନଟ ପାଇଥିବା ହିତାଧିକାରୀମାନେ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି । ଫଳରେ ସେମାନେ ସଂପୂର୍ଣ୍ଣ ଭାବେ ପୁନର୍ବାର ଏହାକୁ ଚିହ୍ନଟ କରିବା ସହ ଜବରଦଖଲ ଉଚ୍ଛେଦ ଦାବୀ କରି ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ଏହି ଅନଶନରେ ଗ୍ରାମର ବିନୋଦ ମୁଣ୍ଡା, ତନ ମୁଣ୍ଡା, ଶୋରଦ ମୁଣ୍ଡା, କୀର୍ତ୍ତନ ଓଝା, ଶଙ୍କର୍ଷଣ ସାହୁ, ସୁରେନ୍ଦ୍ର ମୁଣ୍ଡା, ନିରଞ୍ଜନ ମୁଣ୍ଡା, ମଞ୍ଜୁ ମୁଣ୍ଡା, କୁଳମଣି ଜେନା, ପ୍ରମୋଦ ମୁଣ୍ଡା, ଚମ୍ପା ମୁଣ୍ଡା, ସସ୍ମିତା ମୁଣ୍ଡା, ସାନକୁନି ମୁଣ୍ଡା, ଅରୁଣା ଓଝା, ସୋନାଲି ମୁଣ୍ଡା, ରେବତୀ ମୁଣ୍ଡା, ବାସନ୍ତୀ ମୁଣ୍ଡା, ବଡକୁନି ମୁଣ୍ଡାଙ୍କ ସମେତ ବହୁ ଲୋକ ସାମିଲ ଥିଲେ । ଖୁବ୍‌ଶିଘ୍ର ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲ ପକ୍ଷରୁ ପ୍ରତିଶୃତି ଦିଆଯିବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ