ଦୁର୍ଘଟଣାରେ ଯୁବକ ମୃତ
ଚାରିଛକ ନିକଟସ୍ଥ ଭୋଦର ପଞ୍ଚାୟତ ଅନ୍ତର୍ଗତ ଜୁଣୁପୁର ଗ୍ରାମର ସ୍ମୃତି ରଞ୍ଜନ ପ୍ରଧାନ(୨୫)ଙ୍କ କଟକଠାରେ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ ସ୍ମୃତି ପ୍ରତିଦିନ ଚାରିଛକରୁ ଛତୁ ନେଇ କଟକରେ ବିକ୍ରି କରନ୍ତି । ଆଜି ପୂର୍ବାହ୍ନରେ ସେ ଛତୁ ନେଇ ନିଜ ବାଇକ୍ରେ କଟକ ଯାଉଥିବାବେଳେ କାଠଯୋଡି ବ୍ରିଜ୍ ଉପରେ ପଛପଟୁ ଏକ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଟକ ବଡ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ମୃତିଙ୍କ ମୃତ୍ୟୁ ଖବର ପ୍ରକାଶ ହେବାପରେ ତାଙ୍କ ଗ୍ରାମର ଏବଂ ଚାରିଛକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।