ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟିଲୋ କପ୍ ଏୟାର ଇଣ୍ଡିଆ ମୁମ୍ବାଇ, ୟୁନିୟନ ସ୍ପୋଟିଂ କଟକ ମିଳିତ ଚମ୍ପିୟନ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମରେ ଟିଲୋ ଆଥ୍ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ୨୭ତମ ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟିଲୋ କପ୍ ରବିବାର ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ରେ ଏୟାର ଇଣ୍ଡିଆ ମୁମ୍ବାଇ ଓ ୟୁନିୟନ ସ୍ପୋଟିଂ କଟକ ମିଳିତ ବିଜୟ ହାସଲ କରି ଚଳିତ ବର୍ଷର ଚମ୍ପିୟନ ହୋଇଛନ୍ତି । ଶନିବାର ବର୍ଷା କାରଣରୁ ସେମିଫାଇନାଲ ସ୍ଥଗିତ ହୋଇଥିଲା । ଫଳରେ ରବିବାର ଟାଟା ସ୍ପୋଟ୍ସ ମୁମ୍ବାଇ ଓ ଏୟାର ଇଣ୍ଡିଆ ମୁମ୍ବାଇ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପଡିଆ ଖେଳ ଉପଯୋଗୀ ହୋଇନଥିବାରୁ ଉଭୟ ଦଳ ମ୍ୟାଚ୍ ଖେଳିବାକୁ ରାଜି ହୋଇନଥିଲେ । ପରେ ମ୍ୟାଚ୍ ରେଫରୀ ଇଂ.ସୁଧାଂଶୁ ଶେଖର ନାୟକ ଓ ଉଭୟ ଦଳର ଅଧିନାୟକଙ୍କ ପରାମର୍ଶରେ ବଲ୍ ଆଉଟ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ଏୟାର ଇଣ୍ଡିଆ ମୁମ୍ବାଇ ଗୋଟିଏ ଥର ଅଧିକ ହିଟ୍ କରି ଫାଇନାଲକୁ ପ୍ରବେଶ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ଫାଇନାଲ୍ ମ୍ୟାଚ୍ ଏୟାର ଇଣ୍ଡିଆ ମୁମ୍ବାଇ ଓ ୟୁନିୟନ ସ୍ପୋଟିଂ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପଡିଆ ଖେଳ ଉପଯୋଗୀ ହୋଇନଥିବାରୁ ଦୁଇ ଦଳ ଫାଇନାଲ ଖେଳିବାକୁ ମନା କରିଥିଲେ । କିନ୍ତୁ ହଜାର ହଜାର ଦର୍ଶକଙ୍କ ଅନୁରୋଧ କ୍ରମେ ମ୍ୟାଚ୍ ରେଫରୀ ଉଭୟ ଦଳକୁ ୫ ଓଭର ଖେଳିବାକୁ ପାଇଁ ଅନୁରୋଧ କରିଥିଲେ । ଉଭୟ ଦଳ ଦର୍ଶକଙ୍କ ଅନୁରୋଧ ଓ ଟିଲୋ କପ୍ କ୍ରିକେଟକୁ ସମ୍ମାନ ଜଣାଇ ୫ ଓଭର ମ୍ୟାଚ୍ ଖେଳିବା ପାଇଁ ରାଜି ହୋଇଥିଲେ । ୟୁନିୟନ ସ୍ପୋଟିଂ କଟକ ଟସ୍ ଜିତି ନିର୍ଦ୍ଧାରିତ ୫ ଓଭରରେ ୫ ଉଇକେଟ ହରାଇ ୫୦ ରନ୍ କରିଥିଲା । ଦଳ ପକ୍ଷରୁ ନୌତମ୍ ଭଞ୍ଜ ୨୦, ତପେନ୍ଦ୍ର ସିଂ ୧୫ ରନ୍ କରିଥିଲେ । ପ୍ରତିପକ୍ଷର ସୁଜିତ୍ ନାୟକ ୨, ବୈଭବ ମଲ୍ଲ ଗୋଟିଏ ଉଇକେଟ୍ ନେଇଥିଲେ । ଏୟାର ଇଣ୍ଡିଆ ମୁମ୍ବାଇ ୫ ଓଭରରେ ୩ ଉଇକେଟ୍ ହରାଇ ସମାନ ସ୍କୋର ୫୦ ରନ୍ କରିଥିଲା । ଦଳ ପକ୍ଷରୁ ରୁଦ୍ର ଧନଜେ ୧୮, ଆଇପିଏଲ ତାରକା ପଲ୍ଲ ଭାଲ୍ଥାଟି ୧୩, ଜଗଦୀପ୍ ପରଦେଶୀ ୧୩ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଅନୁରାଗ କାନୋଜିଆ ୨, ନିଶାନ୍ତ ସାହୁ ୧ଟି ଉଇକେଟ୍ ନେଇଥିଲେ । ଲାଇଟ୍ କମ୍ ହେବା ଯୋଗୁ ସୁପର ଓଭର ହୋଇପାରିନଥିଲା । ଅମ୍ପାୟର ଲଲାଟ କେଶରୀ ନନ୍ଦ, ରଞ୍ଜନ ମହାନ୍ତି ଓ ୩ୟ ଅମ୍ପାୟର ହିମାଂଶୁ ବେହେରା ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରିଥିଲେ । ୨୭ ବର୍ଷର ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ୨ୟ ଥର ପାଇଁ ଫାଇନାଲ ମ୍ୟାଚ୍ରେ ଦୁଇ ଦଳ ସମାନ ରନ୍ କରି ଯୁଗ୍ମ ବିଜେତା ହୋଇଥିଲେ । ଯୁଗ୍ମ ଭାବରେ ପଲ୍ଲ ଭାଲ୍ଥାଟି ଓ ଅନୁରାଗ କାନୋଜିଆଙ୍କୁ ଟିଲୋ ସମବାୟ ସମିତି ପ୍ରଦତ୍ତ ସ୍ୱର୍ଗତ କିଶୋର ନାୟକଙ୍କ ସ୍ମୃତିରେ ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ୟୁନିୟନ ସ୍ପୋଟିଂର ଅଲରାଉଣ୍ଡର ନୌତମ ଭଞ୍ଜଙ୍କୁ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଦାସଙ୍କ ସ୍ମୃତିରେ ଆର.ଏନ୍.ଟି ପ୍ରଦତ୍ତ ମ୍ୟାନ୍ ଅଫ ଦି ସିରିଜ୍ ପ୍ରଦାନ କରାଯାଇଥିଲା । ଯୁଗ୍ମ ବିଜେତା ଦଳକୁ ସ୍ୱର୍ଗତ ସାଗରବାଳା ରାଉଳ ଓ ସ୍ୱର୍ଗତ ପ୍ରଭାସିନୀ ସାହୁଙ୍କ ସ୍ମୃତିରେ ନଗଦ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁଙ୍କ ପୌରହିତ୍ୟ ତଥା ଚିତ୍ତ ରଞ୍ଜନ ନାୟକଙ୍କ ପରିଚାଳନାରେ ଆୟୋଜିତ ସଭାରେ ସମାଜସେବୀ ବୁବୁ ପଟ୍ଟନାୟକ, ଆସୋସିଏସନର ଉପଦେଷ୍ଟା ଡଃ.ମନ୍ମଥ କୁମାର ରାଉଳ, ଲିଙ୍ଗରାଜ ସ୍ୱାଇଁ, ମନମୋହନ ସାହୁ, ସୁଧାକର ଧଳ, ପ୍ରଗତିକୃଷ୍ଣ ବେହେରା, ପରମେଶ୍ୱର ବାରିକ, ସମ୍ପାଦକ ଅସିତ୍ କର, ଉପସଭାପତି ମାନସ ନାୟକ, ପ୍ରଭୁପାଦ ଜେନା ଅତିଥି ଭାବେ ଯୋଗ ଦେଇଥିଲେ । ମ୍ୟାଚ୍ରେ ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ, ରଞ୍ଜନ ମହାନ୍ତି, ମ୍ୟାଚ୍ ରେଫରୀ ଇଂ.ସୁଧାଂଶୁ ଶେଖର ନାୟକ, ପିଚ୍ କ୍ୟୁରେଟର ମାନସ ପୁହାଣ, ରାଜେନ୍ଦ୍ର ଧଳ, ସନାତନ ନାୟକ, ଭାଷ୍ୟକାର ସୁଧାଂଶୁ ମହାନ୍ତି, ସଞ୍ଜୟ ମଜୁମଦାର, ୟୁଟ୍ୟୁବ୍ ଭାଷ୍ୟକାର ପି.ଏନ୍.ଚନ୍ଦ୍ର ଶେଖର, ସ୍କୋରର ଅଭିଜିତ୍ ସ୍ୱାଇଁ, ଧନେଶ୍ୱର ଧଳ ଦାୟୀତ୍ୱ ତୁଲାଇଥିଲେ । ମ୍ୟାଚ୍ ପରିଚାଳନାରେ ଲକ୍ଷ୍ମୀଧର ବିଶ୍ୱାଳ, ରମାକାନ୍ତ ପାଣିଗ୍ରାହୀ, ଅଶୋକ ନାଥ, ସନ୍ତୋଷ ଧଳ, ଶରତ ସ୍ୱାଇଁ, ପ୍ରଦ୍ୟୁମ୍ନ ସାହୁ, ସୃଜତିକୃଷ୍ଣ ବେହେରା, ଅକ୍ଷୟ ଧଳ, ଅପୂର୍ବ ସେଠୀ, ସୁଶାନ୍ତ ନାୟକ, ପ୍ରେମାନନ୍ଦ ବେହେରା, ଅଶ୍ୱନୀ ସାହୁ ସହଯୋଗ କରିଥିଲେ । ୨୭ ବର୍ଷର ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରାୟତଃ ସମସ୍ତ ରାଜ୍ୟର ପ୍ରମୁଖ ଦଳ ସହିତ ସୁଦୂର ମ୍ୟାଲେସିଆ, ଆଫଗାନିସ୍ଥାନ, ନେପାଳ,ବାଙ୍ଗଲାଦେଶର ପ୍ରମୁଖ ଦଳ ଗୁଡିକ ଅଂଶ ଗ୍ରହଣ କରିଥିଲେ । କ୍ରୀଡା କ୍ଷେତ୍ରରେ ନିଜ ଜିଲ୍ଲାର ନୁହେଁ କି ରାଜ୍ୟରେ ନୁହେ ଦେଶ ବାହାରେ ମଧ୍ୟ ଏକ ନିଆରା ପରିଚୟ ସୃଷ୍ଟି କରି ପାରିଛି ଏହି ଟୁର୍ଣ୍ଣାମେଣ୍ଟ । ଏଥିସହ କ୍ରୀଡା ପ୍ରେମୀ ଦର୍ଶକ ମାନଙ୍କର ମନୋରଞ୍ଜନ କରିବା ସହ କ୍ରୀଡା ମାଧ୍ୟମରେ ସ୍ନେହ, ଭାଇଚାରାର ଏକ ନିଆରା ପରମ୍ପରା ସୃଷ୍ଟି କରିପାରିଛି । ଦୀର୍ଘ ୨୭ ବର୍ଷର ଅବିରତ ଯାତ୍ରାରେ ବହୁଘାତ ପ୍ରତିଘାତ ସାମ୍ନା କରିଥିଲେ ମଧ୍ୟ କେବେ ବି ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ୍ ହୋଇନାହିଁ ଟିଲୋ ଆଥଲେଟିକ୍ ଆସୋସିଏସନ ।