ଯୋଡା ମହୋତ୍ସବ ଦ୍ୱିତୀୟ ଦିନରେ ଝୁମିଲେ ଦର୍ଶକ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରରେ ପାଳନ କରାଯାଉଥିବା ଯୋଡା ମହୋତ୍ସବ ଦ୍ୱିତୀୟ ଦିନରେ ପହଞ୍ଚିଛି । ଦ୍ୱିତୀୟ ଦିନର ଏହି ମହୋତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୂର୍ବାହ୍ନ ୧୧ ଘଟିକାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥବା ବେଳେ ଏଥିରେ ମୁଖ୍ୟ ଆକର୍ଷଣ ଭାବେ ଡଗ୍ ସୋ, କୁନି କୁନି ପିଲାମାନାଙ୍କ ଦ୍ୱାରା ସଂଗୀତ ପ୍ରତିଯୋଗିତା, ଯୋଡା ତଥା ଆଖପାଖ ଅଂଚଳରୁ ଆସିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଗ୍ରୁପ୍ ଡ୍ୟାନ୍ସ ପ୍ରତିଯୋଗିତା ପରିବେଷଣ. ଲୋକନୃତ୍ୟ ପରିବେଷଣ, ମହିଳା ଓ ପୁରୁଷଙ୍କର ଦୌଡି ଟଣା ପ୍ରତିଯୋଗିତା, ମ୍ୟୁଜିକ୍ ଚେୟାର୍ ପ୍ରତିଯୋଗିତା, କୌତୁକ ପୋଷାକ ଓ ଫେନ୍ସି ଡ୍ରେସ୍ ପ୍ରତିଯୋଗିତା ଦର୍ଶକ ମନଭରି ଉପଭୋଗ କରିଥିଲେ । କୁନି କୁନି ପିଲାମାନଙ୍କ ଦ୍ୱାରା ଓଡିଶୀ, ବିହୁ, ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରାୟ ୭୦ ଟି ଷ୍ଟଲରେ ସନ୍ଧ୍ୟା ସମୟରେ ପ୍ରବଳ ଭିଡ ଜମିଥିଲା । ଡଗ୍ ସୋ ରେ ବିଭିନ୍ନ ପ୍ରଜାତିର କୁକୁର ଅଂଶ ଗ୍ରହଣ କରିଥିଲେ । ତେବେ ସବୁଠାରୁ ମୁଖ୍ୟ ଆକର୍ଷଣ ବିଭିନ୍ନ ବିଦ୍ୟାଳୟର ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ପରିବେଷଣ ନୃତ୍ୟ ସମାରୋହରେ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ସନ୍ଧ୍ୟା ୬ ଘଟିକା ସମୟରେ ଅତିଥି ତଥା ଖବରଦାତା ପ୍ରକାଶ ମହାନ୍ତି, ମାନସ ମହାନ୍ତି, ମଣିନ୍ଦ୍ର ସୁନ୍ଦର ବାରିକ୍ , ସମୀର ଦାସ, ଶାରଦା ଆଚାର୍ଯ୍ୟ , ସୁନିଲ ସାମଲ ପ୍ରମୁଖଙ୍କ ସମେତ ଅଭିଜ୍ଞାନ ମନ୍ଦିରର ମୁଖ୍ୟ ସୁଜାତା ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ସମସ୍ତ ଦଳ ଓ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଯୋଡା ମହୋତ୍ସବକୁ ଦେଖିବା ପାଇଁ ଜୁରୁଡି, ବାମେବାରୀ, ବିଲେଇପଦା, ବଡବିଲ୍ ପ୍ରଭୃତି ଅଂଚଳରୁ ହଜାର ହଜାର ଦର୍ଶକଙ୍କ ଭିଡ ଜମିଥିଲା । ସନ୍ଧ୍ୟାରେ ଓଡିଆ କଂଠଶିଳ୍ପୀ ଦିପ୍ତିରେଖା ପାଢୀ ସଂଗୀତ ପରିବେଷଣ କରିଥିଲେ । ସୋମବାର ମହୋତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।