ନେସ୍କୋ ପକ୍ଷରୁ ବକେୟା ବିଦ୍ୟୁତ ବିଲ୍ ପୈଠ ନେଇ ବୈଠକ
ଯୋଡ଼ା (ଯୁଗାଦ୍ଦ) ନେସ୍କୋ ସବ୍ଡିଭିଜନ୍ଠାରେ ନେସ୍କୋ ପକ୍ଷରୁ ବକେୟା ବିଦ୍ୟୁତ ବିଲ୍ ପୈଠ ନେଇ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟୁତ ବିଲ୍ ପୈଠ କରିନଥିବା ଗ୍ରାହକମାନଙ୍କ ଉପରେ ଚଳିତ ମାସ ୧୬ ତାରିଖରୁ କଡା ଆଭିମୁଖ୍ୟ ଗ୍ରହଣ କରିବାର ନିଷ୍ପତି ହୋଇଛି । ଯୋଡା ନେସ୍କୋ ସବ୍ଡିଭିଜନ୍ ଅନ୍ତର୍ଗତ ଯୋଡା, ବଡବିଲ୍, ଚମ୍ପୁଆ, ଝୁମ୍ପୁରା ଅଂଚଳରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ଏନେଇ ଯୋଡା ନେସ୍କୋ ସବ୍ ଡିଭିଜନ୍ ର ଏସଡିଓ ଦିବ୍ୟରଂଜନ ସାହୁ କହିଛନ୍ତି ଯେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ ତାଲିକାରେ ଘରୋଇ ବିଦ୍ୟୁତ ଗ୍ରାହକଙ୍କ ସହିତ ବାଣିଜ୍ୟକ ଓ ସରକାରୀ କାର୍ଯ୍ୟାଳୟ ରହିଛି । ତୁରନ୍ତ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଯୋଡା ନେସ୍କୋ ଡିଭିଜନ୍ ଅଧିନରେ ୮୦ ହଜାର ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ୫୪ କୋଟି ଟଙ୍କା ବିଦ୍ୟୁତ ବିଲ୍ ବାକି ପଡିଛି । କେବଳ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୪ କୋଟି ୮୦ ଲକ୍ଷ ଟଙ୍କା ବାକି ରହିଥିବା ବେଳେ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ୪୭ କୋଟି ୭୫ ଲକ୍ଷ ଟଙ୍କା ବାକି ଏବଂ ଅନ୍ୟାନ୍ୟ ସଂସ୍ଥା ଓ ସରକାରୀ କାର୍ଯ୍ୟାଳୟ ଉପରେ ଦେଢ କୋଟି ଟଙ୍କା ବାକି ରହିଛି ।


