ଶ୍ରୀଲଙ୍କାରେ ସମସ୍ତ ପ୍ରକାର ବୁର୍ଖା ନିଷିଦ୍ଧ
କଲମ୍ବୋ(ଏଜେନ୍ସି): ୨୧ତାରିଖ, ଇଷ୍ଟର ପାଳନ ସମୟରେ ସଂଘଠିତ ସିରିଜ୍ ବୋମା ବିସ୍ଫୋରଣ ପର ଠାରୁ ଅଦ୍ୟାବଧି ଶ୍ରୀଲଙ୍କାରେ ପରିସ୍ଥିତି ଉଦ୍ବେଗଜନକ ରହିଛି । କେତେକ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଆଉ କେତେକ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ଶ୍ରୀଲଙ୍କାରେ ସମ୍ପ୍ରତି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ତେବେ ଏସବୁ ମଧ୍ୟରେ ସୋମବାର ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ଦେଶରେ ସମସ୍ତ ପ୍ରକାରର ମାସ୍କ ବା ମୁହଁ ଢାଙ୍କୁ ଥିବା ସାମଗ୍ରୀକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଘୋଷଣା ହେବାକ୍ଷଣି ଏହାକୁ କଡାକଡି ଭାବେ ଲାଗୁ କରାଯାଇଛି ।
ଶ୍ରୀଲଙ୍କା ସରକାରଙ୍କ କହିବାନୁସାରେ ମୁହଁ ଢାଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ପରିଚୟ ମିଳିପାରୁ ନାହିଁ ଏବଂ ଆତଙ୍କବାଦୀମାନେ ଏଭଳି ସୁଯୋଗର ଫାଇଦା ନେଇ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସୁତରାଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରୀଲଙ୍କା ସରକାରଙ୍କ ଏପ୍ରକାର ନିଷ୍ପତ୍ତି ଦ୍ୱାରା ମୁସଲିମ ସଂପ୍ରଦାୟର ଝିଅ ଓ ମହିଳାମାନେ ମଧ୍ୟ ବୁର୍ଖା ପରିଧାନ କରିପାରିବେ ନାହିଁ ବୋଲି ମଧ୍ୟ ଜଣାପଡ଼ିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ, ସୋମବାର ଠାରୁ ଦେଶରେ କେହି ମୁହଁ ଲୁଚାଉଥିବା ସାମଗ୍ରୀର ବ୍ୟବହାର କରିପାରିବେ ନାହିଁ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତିି ନିଆଯାଇଛି । ତେଣୁ ଏହାକୁ ସମସ୍ତେ ମାନିବା ସହ ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଏମରଜେନ୍ସି ରେଗୁଲେନସ୍ ଆକ୍ଟ ବଳରେ ଏଭଳି ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରାଯାଇଛି । ଅନ୍ୟପକ୍ଷରେ, କେତେକ ଅଞ୍ଚଳରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲେ ହେଁ ଲୋକଙ୍କୁ ଏକକାଳୀନ ଚର୍ଚ୍ଚ ଯିବାକୁ ଅନୁମତି ମିଳୁନାହିଁ । ସେମାନେ ଘରେ କିମ୍ବା ଅନ୍ୟ ସ୍ଥାନରେ ପ୍ରାର୍ଥନା କରିବାକୁ ପରାମର୍ଶ ଦିଆଯାଇଛି ।