ବାଲିଗୋଠ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ଅନିୟମିତତା ଅଭିଯୋଗ
କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ବାଲିଗୋଠ ପ୍ରକଳ୍ପ ଉଚ୍ଚ ଉନ୍ନିତ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ଅନୀୟମିତତା ହୋଇଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ସ୍କୁଲର ପ୍ରାକ୍ତନ ଗ୍ରାମ୍ୟ ଶିକ୍ଷା କମିଟି ଅଧ୍ୟକ୍ଷ ଚିତ୍ତରଞ୍ଜନ ସାମଲ ଅଭିଯୋଗ କରିଛନ୍ତି ଯେ ଗତ ୨୦୧୨ମସିହା ସେପ୍ଟେମ୍ବରମାସ ୧୩ତାରିଖରେ ଶିକ୍ଷକ କେଶବ ଚନ୍ଦ୍ର ବେହେରା ସ୍କୁଲର ବ୍ୟାଙ୍କ ଆକାଉଂଟରୁ ୨୦ହଜାର ଟଙ୍କା ଉଠାଇଥିବା ବେଳେ ସ୍କୁଲ କ୍ୟାସବୁକରେ ସେହି ଟଙ୍କା ମାସକ ପୂର୍ବରୁ ଅର୍ଥାତ ୨୦୧୨ମସିହା ଅଗଷ୍ଟମାସ ୧୩ତାରିଖରେ ଉଠାଇଥିବା ଦର୍ଶାଇଛନ୍ତି । ଏହାଛଡା ଗୁରୁବାର ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଦିଆଯାଇଥିବା ସ୍କୁଲ ରେକର୍ଡରେ ଦର୍ଶାଯାଇଥିବା ବେଳେ କେତେକ ରେକର୍ଡରେ ଗ୍ରାମ୍ୟ ଶିକ୍ଷା କମିଟି ଅଧ୍ୟକ୍ଷଙ୍କ ସ୍ୱାକ୍ଷର ସ୍ଥାନରେ ପ୍ରଧାନଶିକ୍ଷକ ଜାଲ ସ୍ୱାକ୍ଷର କରି ଉପରିସ୍ତ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଅନ୍ୟଜଣେ ଶିକ୍ଷକ ନିର୍ମଳ ଖଟୁଆ ଇ.ଜି.ଏସ.ରେ ନଥାଇ ବେଆଇନ ଭାବେ ମିଥ୍ୟା ପ୍ରମାଣପତ୍ର ଦେଇ ଗଣ ଶିକ୍ଷକ ଭାବେ ଚାକିରୀ କରିଥିବା ସେ ଅଭିଯୋଗ କରିଛନ୍ତି । ଏହିସବୁ ତଥ୍ୟ ଶ୍ରୀ ସାମଲ ସୂଚନା ଅଧିକାର ଆଇନ ବଳରେ ଶିକ୍ଷା ବିଭାଗରୁ ପାଇଥିବାରୁ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ପୂର୍ବରୁ ଏସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦେଶକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇନଥିବା ସେ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।