ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ୨ଟି ପ୍ରସଙ୍ଗରେ ପତ୍ର ଲେଖିଲେ : ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି । ସେହି ରି ଅନ୍ୟ ଏକ ପୃଥକ ପତ୍ରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଆବାସ୍ ନକବିଙ୍କୁ ଭୁବନେଶ୍ୱରରେ ସ୍କୁଲ କିମ୍ବା
କଲେଜରେ ପାଠ ପଢୁଥିବା ସଂଖ୍ୟାଲଘୁ ଛାତ୍ରୀ ମାନଙ୍କ ପାଇଁ ଏକ ଛାତ୍ରାବାସ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ଓଡିଶାର ଭଦ୍ରକ ଜିଲ୍ଲାରେ କୌଣସି ଆଂଚଳିକ ମେଡିକାଲର ସୁବିଧା ନାହିଁ । ଏହି ଜିଲ୍ଲାରେ ମେଡିକାଲ କଲେଜ୍‌ ନିର୍ମାଣ ହେଲେ ଭଦ୍ରକ ବା ଆଖପାଖରେ ରହୁଥିବା ଲୋକମାନେ ମେଡିକାଲର ସୁବିଧା ପାଇପାରିବେ । ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ (ପିଏମଜେଭିକେ) ଯୋଜନା ସଂଖ୍ୟାଲଘୁ ମନ୍ତ୍ରଣାଳୟ(ଏମଓଏମଏ) ଦ୍ୱାରା କ୍ରିୟାନ୍ୱୟନ କରାଯାଇଛି । ଯୋଜନା ଅଧୀନରେ ସ୍ୱାସ୍ଥ୍ୟକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି । ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦରକାରୀ ବୈଧାନିକ ଆବଶ୍ୟକତା ପୂରଣ କରିବା ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଆବେଦନ କରିବାକୁ ବିଚାର କରିବାକୁ ଆବେଦନ କରନ୍ତୁ ବୋଲି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ମେଡିକାଲ କଲେଜ ପ୍ରକଳ୍ପ ପାଇଁ ମୂଳଧନର ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ ଓ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷାଙ୍ଗିକ ଖର୍ଚ୍ଚର ଦାୟିତ୍ୱ ନେବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଭଦ୍ରକରେ ମେଡିକାଲ କଲେଜ ଖୋଲିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ପିଏମଜେଭିକେ ଯୋଜନାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ବିସ୍ତୁତ ବିବରଣୀ ପ୍ରଦାନ କରି ପ୍ରସ୍ତାବ ପଠାଇବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକବିଙ୍କୁ ଲେଖିଥିବା ଅନ୍ୟ ପୃଥକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏବେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ ଯୋଜନା ଅଧୀନରେ କେବଳ ଅଧିକ ସଂଖ୍ୟାଲଘୁ ଅଂଚଳ ତଥା ଯେଉଁଠାରେ ସଂଖ୍ୟାଲଘୁ ଜନସଂଖ୍ୟା ୨୫ ପ୍ରତିଶତରୁ ଉର୍ଦ୍ଧ୍ୱ ଏବଂ ଯେଉଁ ଅଂଚଳରେ ଆର୍ଥିକ ବର୍ଗର ପଛୁଆ ଶ୍ରେଣୀର ଲୋକମାନେ ବାସ କରୁଛନ୍ତି ସେମାନଙ୍କ ପାଇଁ ପ୍ରକଳ୍ପମାନ ମଞ୍ଜୁରୀ କରିଛନ୍ତି । ମର୍ମରେ ରାଜଧାନୀ କିମ୍ବା ଅନ୍ୟ ମୁଖ୍ୟ ନଗର ଅଂଚଳରେ ଏହି ସବୁ ଶ୍ରେଣୀର ଛାତ୍ରଛାତ୍ରୀ ତଥା ଲୋକମାନଙ୍କ ସୁବିଧା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ନିମନ୍ତେ ବିଭିନ୍ନ ପ୍ରକଳ୍ପ ଯଥା ଛାତ୍ରାବାସ, ଆବାସିକ ବିଦ୍ୟାଳୟ, ଆଇଟିଆଇ ଦକ୍ଷତା କେନ୍ଦ୍ର ଭଳି ପ୍ରକଳ୍ପ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି । ତେଣୁ ରାଜ୍ୟର ରାଜଧାନୀ ତଥା ପ୍ରମୁଖ ସହରରେ ପିଏମଜେଭିକେ ଯୋଜନାରେ ଉକ୍ତ ସୁବିଧା ଯୋଗାଇଦେବାକୁ ପ୍ରଧାନ ଅନୁରୋଧ କରିଛନ୍ତି । ଏହି ସୁବିଧା ଯୋଗାଇ ଦିଆଗଲେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ଓ ମହିଳା ସଶକ୍ତିକରଣ ଭଳି ପ୍ରମୁଖ କ୍ଷେତ୍ରର ଭିତିଭୂମି ସୁଦୃଢ ହେବ ବୋଲି ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ