ମେଣ୍ଢାଖାଇ ପାହାଡ଼ ରାସ୍ତା ସଫେଇ ପାଇଁ ଦାବୀ ପତ୍ର ପ୍ରଦାନ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ରଜାସାହି ଠାରୁ ସ୍ଥାନୀୟ ମେଣ୍ଢାଖାଇ ପାହାଡ଼ ଉପରକୁ ଯିବା ରାସ୍ତା ସଫା କରିବା ପାଇଁ ଏକ ଦାବୀ ପତ୍ର ହିଂଜିଳିକାଟୁ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାେଇଛି । ଏହାର ଏକାକିତା ନକଲ ହିଂଜିଳି ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଂଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ହଂଜିଳିକାଟୁ ପାହାଡ଼ ଉପରେ ଗଣେଷ ଓ ହନୁମାନ ଠାକୁରଙ୍କ ମନ୍ଦିର ରହିଛି । ଉକ୍ତ ମନ୍ଦିରରେ ବିଶେଷକରି ବିନାୟକ ଚତୁର୍ଥୀ ଓ ହନୁମାନ ଜୟନ୍ତିରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଥାଏ ।ଏପରିକି ଅନ୍ୟ ଦିବସ ଗୁଡ଼ିକରେ ମଧ୍ୟ ବହୁ ଭକ୍ତ ପୂଜାର୍ଚ୍ଚନା ସକାଶେ ପ୍ରତ୍ୟେହ ମନ୍ଦିରକୁ ଯାଇଥାନ୍ତି । ତେବେ ପାହାଡ଼ ଉପରକୁ ପଡ଼ିଥିବା ପାହାଚ ରାସ୍ତା ଓ ସଂଲଗ୍ନ ରାସ୍ତା ବହୁତ ଅପରିସ୍କାର ହୋଇପଡ଼ିଛି । ପଶୁପକ୍ଷୀଙ୍କ ଦେହାବଶେଷ ସହ ଅଣଓସାରିଆ ରାସ୍ତାରେ ଆର୍ବଜନା ପଡ଼ି ରହୁଥିବାର ଦେଖିବାକୁ ମିଳୁଛି । ଉକ୍ତ ଅଂଚଳ ନିକଟରେ ଜେଏମଏଫସି ନ୍ୟାୟଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ । ଦୂଷିତ ପରିବେଷ ମଧ୍ୟରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଖାଉଥିବାର ଦେଖିବାକୁ ମିଳୁଛି । ଏପରିକି ନ୍ୟାୟଳୟ ଓ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା କର୍ମଚାରୀ ଓ ଜନସାଧାରଣ ମାନେ ଆସୁଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିବା ବେଳେ ନାକରେ ରୁମାଲ ଦେଇ ଯାତାୟତ କରୁଥିବାର ଦେଖିବାକୁ ମିଳୁଛି । ଚଳିତ ହନୁମାନ ଜୟନ୍ତି ପୂର୍ବରୁ ଉକ୍ତ ରାସ୍ତା ସପେଇ କରିବା ଲାଗି ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ଅଭିଯୋଗ ହୋଇଛି । ଉକ୍ତ ସ୍ଥାନରେ ଆର୍ବଜନା ରହିଥିବା ଭିଡ଼ିଓ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଥିବା ନେଇ ଅଂଚଳର ଭିକାରି ଚରଣ ବେହେରା ଓ ଅକ୍ଷୟ କୁମାର ସାହୁ କହିଛନ୍ତି । ଏହା ପରେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଉକ୍ତ ରାସ୍ତା ତୁରନ୍ତ ସଫା କରିବା ଲାଗି ସ୍ଥାନୀୟ ଅଂଚଳର ୫୦ ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ନଚେତ ଆଗାମୀ ଦିନରେ ଏକ ବଡ଼ ଧରଣର ଜନଆନ୍ଦୋଳନ ଗଢି ଉଠିବ ବୋଲି ଚେତାବନି ଦିଆଯାଇଛି । ଏ ନେଇ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଲୋକଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ଉକ୍ତ ରାସ୍ତାକୁ ସଫେଇ କରାଯାଇଛି ତେବେ ପୁର୍ନବାର ସଫେଇ କରାଯିବ ।