ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ମୃତ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଜଗନ୍ନାଥ ମନ୍ଦିର ନିକଟ ବିଷୋୟୀ ସାହିର ଜଗନ୍ନାଥ ବିଷୋୟୀ(୧୮) ନାମକ ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ଜଣାପଡିଛି।ଶନିବାର ଭୋର ପ୍ରାୟ ୩ ଟାରେ ଗ୍ରାମର ଦୂର୍ଗାପୂଜା ମଣ୍ଡପ ରେ ଜଗନ୍ନାଥ ଲାଇଟ୍ ଲଗାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଗୁରୁତର ଆହାତ ହୋଇଥିଲେ।ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଏନେଇ ପୋଲିସ କୁ ଖବର କରିଥିଲେ। ଆଇଆଇସି କିଶୋର କୁମାର ସାମଲ ଅପମୃତ୍ୟୁ ମାମଲା ନଂ.୪୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିବା ପରେ ଏଏସଆଇ ଝୁନୁୁ ମାଝୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ। ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଜଗନ୍ନାଥ ଯୁକ୍ତ ୨ ପଢ଼ିବା ପରେ ବ୍ରହ୍ମପୁର ର ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ଦୋକାନରେ କାମ କରୁଥିଲେ।ସେ ଶୁକ୍ରବାର ଘରେ ରାତ୍ରି ଭୋଜନ ସାରିବା ପରେ ଗାଁ ର ପୂଜା ମଣ୍ଡପ କୁ ସାଜସଜ୍ଜା କରିବାକୁ ଯାଇଥିଲେ।ସେଠାରେ ମା ‘ ଦୂର୍ଗା ଙ୍କ ମୂର୍ତ୍ତି ନିର୍ମାଣ କାମ ଚାଲିଥିଲା। ଜଗନ୍ନାଥ ମନ୍ଦିର ରୁ ମଣ୍ଡପ କୁ ଅସ୍ଥାୟୀ ଭାବେ ବିଦ୍ୟୁତ ତାର ଟଣା ଯାଇଥିଲା। କୌଣସି କାରଣରୁ ରାତି ପ୍ରାୟ ୩ ଟାରେ ପୂଜା ମଣ୍ଡପ ରେ ଲାଗିଥିବା ହେଲୋଜେନ ଲାଇଟ୍ ଲିଭି ଯାଇଥିଲା। ବିଚ୍ଛିନ୍ନ ହୋଇଯାଇଥିବା ବିଦ୍ୟୁତ ତାର କୁ ଜଗନ୍ନାଥ ସଜାଡୁଥିବା ବେଳେ ଅସାବଧାନତା କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ସେ ଗୁରୁତର ହୋଇପଡିଥିଲେ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଥିବା ପୋଲିସ କହିଛି।


