ମାଁ ବୁଢ଼ୀ ଠାକୁରାଣୀ ଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶୁଭାରମ୍ଭ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ବିଳମ୍ବିତ ରାତି ରୁ ଶୁଭାରମ୍ଭ ହୋଇଛି।ସହରର ବୁଢ଼ୀ ଠାକୁରାଣୀ ମନ୍ଦିର ରୁ ସହସ୍ରାଧିକ ଶ୍ରଦ୍ଧାଳୁ ବିଳମ୍ବିତ ରାତିରେ ମାଁ ଙ୍କୁ ବିରାଟ ଶୋଭାଯାତ୍ରାରେ ବଜାର ସାହି ଗାନ୍ଧୀ ଛକ ସ୍ଥିତ ଅସ୍ଥାୟୀ ଯାତ୍ରା ପୀଠ କୁ ପାଛୋଟି ଆଣିଥିଲେ। ଠାକୁରାଣୀ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଛି। ଚଳିତବର୍ଷ ଆଶ୍ୱିନ ମହାସପ୍ତମୀ ତିଥି ଠାରୁ ୯ ଦିନ ବ୍ଯାପୀ ସହରବାସୀ ଏବଂ ଯାତ୍ରା ପରିଚାଳନା କମିଟିର ସହଯୋଗ କ୍ରମେ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେବ। ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟ ପୁରୋହିତ ପଣ୍ଡିତ ସନାତନ ରଥ ଙ୍କ ପୂଜାର୍ଚ୍ଚନା ଏବଂ ମହିଳା ଶ୍ରଦ୍ଧାଳୁଙ୍କ ହୁଳହୁଳି ରେ ଠାକୁରାଣୀ ମନ୍ଦିର ପ୍ରକମ୍ପିତ ହୋଇ ଉଠିଥିଲା । ମୁଖ୍ୟ ପଣ୍ଡିତ ଏବଂ ସମସ୍ତ ସେବାୟତଙ୍କ ଉପସ୍ଥିତିରେ ମନ୍ଦିରରେ ରୀତିନୀତି ଅନୁଯାୟୀ ମନ୍ତ୍ର ପାଠ ସହ ପୂଜାର୍ଚ୍ଚନା କରାଯାଇ ମାଁ ଙ୍କୁ ଅସ୍ଥାୟୀ ମଣ୍ଡପକୁ ଆବାହନ କରାଯାଇଥିଲା । ମାଁ ଙ୍କ ମସ୍ତକରୁ ଫୁଲମଣ୍ଡା ଖସିବା ପରେ ଆଜ୍ଞା ମାଳକୁ ଏକ ଚାଙ୍ଗୁଡିରେ ଧରି ବିରାଟ ଶୋଭାଯାତ୍ରାରେ ମୁଖ୍ୟ ସେବାୟତ ଅସ୍ଥାୟୀ ପୀଠରେ ପହଞ୍ଚିଥିଲେ। ଆତସବାଜି , ବାଦ୍ୟ ବାଜଣା ସହ ପାରମ୍ପରିକ ଘୋଡ଼ା ନାଚ ଓ ମହିଳାଙ୍କ ହୁଳହୁଳି ଧ୍ୱନୀରେ ଯାତ୍ରା ପୀଠ ରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଯାତ୍ରା ପରିଚାଳନା କମିଟି ସଭାପତି ବିଚିତ୍ରାନନ୍ଦ ପଟ୍ଟନାୟକ , ଉପସଭାପତି ଏ. ସୁଶାନ୍ତ , ସମ୍ପାଦକ ତଥା କାଉନସିଲର ଦୀପକ କୁମାର ମିଶ୍ର , ସହ ସମ୍ପାଦକ ଶିବଶଙ୍କର ମହାରଣା , କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ , ସହ କୋଷାଧ୍ୟକ୍ଷ କେ. ରାଜେନ୍ଦ୍ର , ଉପଦେଷ୍ଟା ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ବିକାଶ ପଶୁପାଳକ, ସତ୍ୟନାରାୟଣ ଦାସ, ଶିବଶଙ୍କର ମହାଙ୍କୁଡ, ଅର୍ଦ୍ଦୁ . ଗୋବିନ୍ଦ , କୁରେଶୁ ମହାରଣା, ପ୍ରଦୀପ କୁମାର ପଣ୍ଡା, କାଉନସିଲର ନୀଳମାଧବ ଗୌଡ, ପଞ୍ଚାନନ ସ୍ୱାଇଁ, ରବିନ୍ଦ୍ର କୁମାର ମାର୍ଥା, କେ. କୁନା,ପ୍ରଶାନ୍ତ ପୂଜାରୀ,ତାରିଣୀ ପାତ୍ର, ବୈକୁଣ୍ଠ ସ୍ବାଇଁ, ଏମ. ବୀର,ଦିବାକର ପ୍ରଧାନ, ଏ.ବନମାଳୀ, ଦୁର୍ଗା ପ୍ରସାଦ ମେକାପ ପ୍ରମୁଖ ଙ୍କ ଉପସ୍ଥିତିରେ ହୋମଯଜ୍ଞ ବିଧାନରେ ପୂଜାମଣ୍ଡପ କୁ ଶୋଧନ କରାଯିବା ପରେ ପୂର୍ଣ୍ଣକଳସ ସ୍ଥାପନ କରାଯାଇ ଗଣପତି, ବ୍ରହ୍ମା,ବିଷ୍ଣୁ,ମହେଶ୍ୱର ଓ ଅନନ୍ତବାସୁକି ଙ୍କୁ ଆରାଧନା କରାଯାଇଥିଲା।ପରେ ମା’ ଙ୍କ ମୁଖ୍ୟଘଟ ଓ ପାର୍ଶ୍ଵଘଟ ଗୁଡ଼ିକୁ ସଂସ୍ଥାପନ କରାଯାଇ ମହାଧୂପ ସହସ୍ର ପରମିତ ମଙ୍ଗଳ ଆଳତି କରାଯାଇ ଭୋଗ ଲାଗି କରାଯିବା ପରେ ମା’ ଙ୍କ ପହଡ଼ ବିଜେ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ରବିବାର ଠାରୁ ପ୍ରତିଦିନ ସନ୍ଧ୍ୟାରେ ମାଁ ଙ୍କ ଘଟ ସହରର ବିଭିନ୍ନ ସାହି, ବସ୍ତି ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଯାତ୍ରା କମିଟି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ଦିଗପହଣ୍ଡି ଥାନା ପକ୍ଷରୁ ବ୍ଯାପକ ପୋଲିସ ବନ୍ଦୋବସ୍ତ କରାଯାଇଥିବା ଜଣାପଡିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଯାତ୍ରା ପୀଠ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରାମଦୋଳି ,ମିନା ବଜାର , ବିଭିନ୍ନ ସାହିରେ ଆକର୍ଷଣୀୟ କଳାକୁଞ୍ଜ ଏବଂ ରଙ୍ଗ ବେରଙ୍ଗ ଆଲୋକ ମାଳା ରେ ସଜ୍ଜିତ କରାଯାଇଥିବା ଜଣାପଡ଼ିଛି।


