ବିନା ସିଓଆରରେ ଚାଲୁଥିବା ସ୍କୁଲ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ

ଭୁବନେଶ୍ୱର : ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଅନୁଯାୟୀ ସମସ୍ତ ଘରୋଇ ସ୍କୁଲ ସରକାରଙ୍କ ଠାରୁ ସ୍ୱୀକୃତି ପ୍ରମାଣପତ୍ର (ସିଓଆର) ନେବେ । ଆରଟିଇ ନିୟମ ପାଳନ କରୁଥିବା ପ୍ରତ୍ୟେକ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୫ ବର୍ଷ ପାଇଁ ସିଓଆର ପ୍ରଦାନ କରାଯାଉଛି । କିନ୍ତୁ ଓଡ଼ିଶାରେ ବହୁ ସ୍କୁଲ ବିନା ସିଓଆରରେ ଚାଲୁଛି । ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୧୯-୨୦ ଶିକ୍ଷା ବର୍ଷରେ ୮୪୦ଟି ଘରୋଇ ସ୍କୁଲ ସ୍ୱୀକୃତି ପ୍ରମାଣପତ୍ର ପାଇଁ ସରକାରଙ୍କୁ ଆବେଦନ କରିଥିଲେ । ତାହା ମଧ୍ୟରୁ ୪୮୯ଟି ସ୍କୁଲକୁ ସିଓଆର ଦିଆଯାଇଛି । ୩୫୧ ସ୍କୁଲ ସିଓଆର ପାଇ ନାହାନ୍ତି । ତାହା ମଧ୍ୟରୁ ଜଗତସିଂହପୁରର ସର୍ବାଧିକ ୧୧୬ଟି ସ୍କୁଲ ଅଛନ୍ତି । ସେହିପରି ୨୦୧୭-୧୮ରେ ଆବେଦନ କରିଥିବା ୩୯୫୫ଟି ଘରୋଇ ସ୍କୁଲ ମଧ୍ୟରୁ ୩୩୫୦ଟି ସ୍କୁଲକୁ ସିଇଓଆର ପ୍ରଦାନ କରାଯାଇଥିଲା ବେଳେ ୬୦୫ଟିକୁ ପ୍ରଦାନ କରାଯାଇ ନ ଥିଲା । ୨୦୧୮-୧୯ରେ ଆବେଦନ କରିଥିବା ୯୨୭ଟି ସ୍କୁଲ ମଧ୍ୟରୁ ୨୫୯ଟିକୁ ସିଓଆର ପ୍ରଦାନ କରାଯାଇ ନ ଥିଲା ।
ମନ୍ତ୍ରୀ ଆହୁରି ଜଣାଇଛନ୍ତି, ଯେଉଁ ସ୍କୁଲଗୁଡ଼ିକ ସିଓଆର ପାଇଁ ଆବେଦନ କରୁ ନାହାନ୍ତି କିମ୍ବା ବିନା ସିଓଆରରେ ସ୍କୁଲ ଚଳାଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହି ଅନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏପରି ସ୍କୁଲ କର୍ତ୍ତୃପକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସ୍କୁଲଗୁଡ଼ିକ ଦେଉଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ