ଆତଙ୍କବାଦ ବିରୁଦ୍ଧରେ ଭାରତର ଅଭିଯାନ ଏବେ ଆନ୍ତର୍ଜାତିକ ଫୋରମ୍ର ମୁଖ୍ୟ ବିଷୟ
ନୂଆଦିଲ୍ଲୀ : ଆତଙ୍କବାଦ ବିରୁଦ୍ଧରେ ଭାରତର ଅଭିଯାନ ଆତଙ୍କବାଦକୁ ଜି-୨୦ ସମେତ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଫୋରମ୍ ଗୁଡ଼ିକ ମଧ୍ୟକୁ ଆଣିପାରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସେ କହିଛନ୍ତି ଗତ କିଛିବର୍ଷ ଧରି ଭାରତ ଯୋଗୁଁ ଆତଙ୍କବାଦ ପ୍ରସଙ୍ଗ ବିଭିନ୍ନ ଆନ୍ତର୍ଜାତିକ ଫୋରମରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ଏହାଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ ପ୍ରତି ସଚେତନତା ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ନୀତି ଗବେଷଣା ଆଲୋଚନା କେନ୍ଦ୍ର ୨୦୨୦ର ଉଦ୍ଘାଟନୀ ଅଧିବେଶନରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ ସନ୍ତୁଳନ ଯୋଗୁଁ ଏହାର ରାଜନୈତିକ ପ୍ରଭାବ ଦେଖିବାକୁ ମିଳିଛି। ସେ କହିଛନ୍ତି ବିଶ୍ୱରେ ପୂର୍ବରୁ ଗୋଟିଏ କିମ୍ବା ଦୁଇଟି ଦେଶର ଯେଉଁ ଆଧିପତ୍ୟ ରହିଥିଲା ଭାରତ ଭଳି ଦେଶମାନେ ଏବେ ଏହାର ସ୍ଥାନ ନେବା ଆରମ୍ଭ କରିଛନ୍ତି। ଏଥିପାଇଁ ଅଧିକ ଫଳପ୍ରଦ ରଣକୌଶଳ ଗ୍ରହଣ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ବିଶ୍ୱରେ ଅର୍ଥନୈତିକ ସ୍ତରରେ ନିଜକୁ ଶକ୍ତିଶାଳୀ କରି ଗଢ଼ିବା ରାଜନୈତିକ ଦୃଷ୍ଟିକୋଣରୁ କୌଣସିମତେ କମ୍ ନୁହେଁ। ଶ୍ରୀ ଜୟଶଙ୍କର କହିଛନ୍ତି ଦେଶଗୁଡ଼ିକ ନିଜ ନିଜର ଜାତୀୟ ଲକ୍ଷ୍ୟହାସଲ ପାଇଁ ଅହରହ ଉଦ୍ୟମ କରୁଥିବା ଯୋଗୁଁ ସେମାନେ ଏଥିପାଇଁ ଅଧିକ ଫଳପ୍ରଦ କାର୍ଯ୍ୟ କରି ଦେଖାଇବାକୁ ପ୍ରଚେଷ୍ଟା କରିବେ। ଏକ ଡିଜିଟାଇଚଡ୍ ବିଶ୍ୱରେ ଜ୍ଞାନଭିତ୍ତିକ ଅର୍ଥନୀତି ସ୍ଥାପନ ଓ ଏଥିପାଇଁ ନୂଆ ନୂଆ ଭାଗିଦାରୀ ସୃଷ୍ଟି ପାଇଁ ଭାରତ ସମ୍ମୁଖରେ ବହୁ ବଡ ବଡ ଆହ୍ବାନମାନ ଆସି ଉଭା ହେବ।