କୋରୋନା ଡରରେ ଦୀପିକାଙ୍କ ପ୍ୟାରିସ ଗସ୍ତ ବାତିଲ
ସାରା ବିଶ୍ବରେ କୋରୋନା ଭାଇରସ ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଇତିମଧ୍ୟରେ ଦିଲ୍ଲୀରେ ଜଣେ ବ୍ୟକ୍ତି କୋରୋନା ଭାଇରସରେ ପୀଡ଼ିତ ବୋଲି ସ୍ପଷ୍ଟ ହୋଇଛି। ଏହି କୋରୋନା ଭାଇରସ ସଂକ୍ରମଣର ଡର ବଲିଉଡ୍ ସେଲିବ୍ରିଟିଙ୍କୁ ମଧ୍ୟ ଘାରିଛି। ପୂର୍ବରୁ ରଣବୀର କପୁରଙ୍କୁ ବିମାନବନ୍ଦରରେ ମାସ୍କ ଲଗାଇଥିବା ଦେଖିବାକୁ ମିଳିଥିଲା। ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ କୋରୋନା ଭାଇରସ ସଂକ୍ରମଣ ଡରାଇବାରେ ଲାଗିଛି। କିଛି ଦିନ ତଳେ ଦୀପିକାଙ୍କ ମ୍ୟାନେଜର ତାଙ୍କ ବିଦେଶ ଗସ୍ତକୁ ନେଇ ସୂଚନା ଦେଇଛନ୍ତି।
ଦୀପିକା କୋରୋନା ଭାଇରସ ସଂକ୍ରମଣକୁ ଧ୍ୟାନରେ ରଖି ପ୍ୟାରିସ୍ରେ ଚାଲିଥିବା ‘ପ୍ୟାରିସ୍ ଫ୍ୟାଶନ୍ ୱିକ୍’ରେ ସାମିଲ୍ ହେବାକୁ ଥିବା ଯୋଜନାକୁ ରଦ୍ଦ କରି ଦେଇଛନ୍ତି। ଦୀପିକାଙ୍କୁ ଲକ୍ଜରୀ ଫ୍ୟାଶନ୍ ହାଉସ୍ ଲୁଇସ୍ ଭୁଇଟନ୍ ପ୍ୟାରିସ୍ ଫ୍ୟାଶନ୍ ୱିକ୍ରେ ସାମିଲ୍ ହେବା ପାଇଁ ନିମନ୍ତ୍ରଣ ପଠାଇଥିଲେ। ଏହା ୩ ମାର୍ଚ୍ଚ ଯାଏ ଚାଲିବାର ଥିଲା। କିନ୍ତୁ କୋରୋନା ଭାଇରସ ବଢ଼ୁଥିବା ମାମଲା ଦୃଷ୍ଟିରେ ରଖି ନିଜ ଯାତ୍ରା ରଦ୍ଦ କରି ଦେଇଛନ୍ତି। ଦୀପିକାଙ୍କ ମ୍ୟାନେଜର କହିଛନ୍ତି ଯେ ଦୀପିକା ପାଦୁକୋନ ପ୍ୟାରିସ୍ରେ ଚାଲୁଥିବା ଫ୍ୟାଶନ୍ ୱିକ୍ ଅନ୍ତର୍ଗତ ଲୁଇସ୍ ଭୁଇଟନ୍ଙ୍କ ଫ୍ୟାଶନ୍ ୱିକ୍ ୨୦୨୦ ଶୋ’ରେ ଭାଗ ନେବା ଲାଗି ଫ୍ରାନ୍ସ ଯିବାର ଥିଲା। କିନ୍ତୁ ଫ୍ରାନ୍ସରେ କୋରୋନା ଭାଇରସ ସଂକ୍ରମଣ ବଢ଼ି ଚାଲିଥିବା ମାମଲାକୁ ଦୃଷ୍ଟିରେ ରଖିଦୀପିକା ତାଙ୍କ ଗସ୍ତକୁ ବାତିଲ କରି ଦେଇଛନ୍ତି।