ବିଦ୍ୟାଳୟ ପ୍ରତି ଛୋଟ ପିଲାଙ୍କ ଅଗ୍ରହ ବୃଦ୍ଧି ପାଇଁ ଆରମ୍ଭ ହେବ- ନୋ ବ୍ୟାଗ୍ ଡେ
ଛତ୍ରପୁର, : ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପ୍ରତି ଅଗ୍ରହ ସୃଷ୍ଟି କରିବା ଏବଂ ମାନସିକ ସ୍ତରରେ ଉତ୍ସାହ ଉଦ୍ଦୀପନା ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାର୍ଚ୍ଚ ୭ ତାରିଖ ଶନିବାର ଠାରୁ ଏହା କାର୍ଯ୍ୟକାରୀ ହେବ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ମାନସିକ ଶାନ୍ତି ସହ ଜ୍ଞାନ ଅର୍ଜନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ । ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀ ସେମାନଙ୍କ ଅଧିନସ୍ଥ କୋଡିଏ ଗୋଟି ବିଦ୍ୟାଳୟକୁ ଚୟନ କରିବେ । ଶନିବାର ଦିନ ପାରମ୍ପରିକ ଶିକ୍ଷା ବଦଳରେ ‘ନୋ ବ୍ୟାଗ୍ ଡେ’ ପରି ଅଭିନବ ଶୈଳୀରେ ଶିକ୍ଷାଦାନ କରାଯିବ । ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଏହି ଚାପ ମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ ହେବ । ପ୍ରଥମେ ଯୋଗ ଶିକ୍ଷା ଦିଆଯିବ ପରେ ସାମୁହିକ ବିଦ୍ୟାଳୟ ସଫେଇ, ପ୍ଲାଷ୍ଟିକ ବ୍ୟବହାର ନିଷେଧ, ଶୌଚାଳୟ ବ୍ୟବହାରର ଉପକାରିତା ଏବଂ ବୃକ୍ଷରୋପଣ ବାବଦରେ ସଚେତନ କରାଯିବ । ପିଲାମାନଙ୍କୁ ବିଭିନ୍ନ ଗପ ଶୁଣାଇବା ସହିତ ସେମାନେ ଯାହା ସବୁ ଗପ ଜାଣିଛନ୍ତି, ତାକୁ କହିବା ପାଇଁ ଉତ୍ସାହିତ କରାଯିବ । ସୁନାମଧାନ୍ୟ ବ୍ୟକ୍ତି ବିଶେଷଜ୍ଞ ଜୀବନୀ ଉପରେ ଛାତ୍ରଛାତ୍ରୀଙ୍କୁ ମୌଖିକ ଶିକ୍ଷା ଦିଆଯିବ ସହିତ ବିଭିନ୍ନ ସାଧାରଣ ଜ୍ଞାନ ସଂପର୍କିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେବ । ବାଳିକା ଶିକ୍ଷାର ଉପକାରିତା ସମ୍ବନ୍ଧରେ ଶିକ୍ଷକମାନେ ବକ୍ତବ୍ୟ ରଖିିବେ । ଯଜସ୍ପୀ ମହିଳାମାନଙ୍କର କାର୍ଯ୍ୟାବଳୀକୁ ନେଇ ଆଲୋଚନା କରାଯିବ । ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ କରିବା ସହିତ ସାମ୍ପ୍ରଦିକ ଘଟଣାବଳୀ ଉପରେ ସେମାନଙ୍କୁ ସୂଚନା ଦିଆଯିବ ।ଏପରି ଅଭିନବ ଶିକ୍ଷା ପଦ୍ଧତି ଦ୍ୱାରା ଛାତ୍ରଛାତ୍ରୀ କେତେ ଅନୁପ୍ରାଣିତ ହୋଇ ପାରୁଛନ୍ତି ଶିକ୍ଷକମାନେ ଏହାର ମୂଲ୍ୟାୟନ କରିବେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଏହି ପଦ୍ଧତିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିପାରିବେ ତାହା ମଧ୍ୟ ଶିକ୍ଷକ ଅନୁଧ୍ୟାନ କରିବେ । ପ୍ରତ୍ୟେକ ଶନିବାର ଦିନ ପୂର୍ବ ନିର୍ଘଣ୍ଟ ସମୟ ମୁତାବକ ବିଦ୍ୟାଳୟ କାର୍ଯ୍ୟ ପରିଚାଳିତ ହେବ । ଏହାର ସଫଳତାକୁ ଅନୁଧ୍ୟାନ କରି ଅନ୍ୟାନ୍ୟ ବିଦ୍ୟାଳୟକୁ ସଂପ୍ରସାରିତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।


